ସ୍ୱଦେଶୀ କରୋନାଭାଇରସ୍‌ ଟିକା ‘କୋଭାକ୍ସିନ୍‌’ ଯୋଗାଣ ଆରମ୍ଭ କଲା ‘ଭାରତ ବାୟୋଟେକ୍‌’

ହାଇଦ୍ରାବାଦ: ‘ଭାରତ ବାୟୋଟେକ୍‌’ ନିର୍ମିତ ସ୍ୱଦେଶୀ କରୋନାଭାଇରସ୍‌ ଟିକା ‘କୋଭାକ୍ସିନ୍‌’ର ପ୍ରଥମ ବ୍ୟାଚ୍‌ ଆଜି ବଡ଼ି ସକାଳୁ ହାଇଦ୍ରାବାଦରୁ ଦିଲ୍ଲୀ ସମେତ ଦେଶର ୧୦ଟି ସହରକୁ ପଠାଯାଇଛି। ଦେଶବ୍ୟାପୀ ଶନିବାର ଦିନ ଆରମ୍ଭ ହେବାକୁ ଯାଉଥିବା ‘ବିଶ୍ୱର ସବୁଠୁ ବଡ଼’ ଟିକାକରଣ ଅଭିଯାନ ନିମନ୍ତେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ଯୋଗାଣ କରିବାର ଦିନକ ପରେ ‘ଭାରତ ବାୟୋଟେକ୍‌’ ତା’ର ଟିକା ଯୋଗାଣ ଆରମ୍ଭ କରିଛି।

ସମୁଦାୟ ୮୦.୫ କିଲୋ ଓଜନବିଶିଷ୍ଟ ତିନୋଟି ପେଟିରେ ସର୍ବ ପ୍ରଥମେ ‘କୋଭାକ୍ସିନ୍‌’କୁ ଏୟାର୍‌ ଇଣ୍ଡିଆର ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା।

ବୁଧବାର ସକାଳ ୬.୪୦ରେ ଏୟାର୍‌ ଇଣ୍ଡିଆର ‘ଏଆଇ ୫୫୯’ ବିମାନରେ ‘ଭାରତ ବାୟୋଟେକ୍‌’ ଟିକାର ପ୍ରଥମ ‘କନ୍‌ସାଇନ୍‌ମେଣ୍ଟ୍‌’ ହାଇଦ୍ରାବାଦରୁ ନୂଆଦିଲ୍ଲୀ ପଠାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଦିଲ୍ଲୀ ବ୍ୟତୀତ, ବେଙ୍ଗାଲୁରୁ, ଚେନ୍ନାଇ, ପାଟନା, ଜୟପୁର ଏବଂ ଲକ୍ଷ୍ନୌ ଆଦି ସହରକୁ ମଧ୍ୟ ଆଜି ଏହି ଟିକା ପଠାଯାଇଛି।

ଆଜି ହାଇଦ୍ରାବାଦ କାରଖାନାରୁ ଟିକାର ୧୪ଟି ‘କନ୍‌ସାଇନ୍‌ମେଣ୍ଟ୍‌’ ବିଭିନ୍ନ ଅଞ୍ଚଳକୁ ପଠାଯିବ ବୋଲି କୁହାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ, ୫୫ ଲକ୍ଷ ଡୋଜ୍‌ ‘କୋଭାକ୍ସିନ୍‌’ ଏବଂ ୧.୧ କୋଟି ଡୋଜ୍‌ ‘କୋଭିସିଲ୍‌ଡ୍‌’ ଖରିଦ କରାଯାଉଛି। ସୀମିତ ଜରୁରୀ ବ୍ୟବହାର ନିମନ୍ତେ ଉଭୟ ଟିକା ଏହି ମାସ ପ୍ରାରମ୍ଭରେ ଦେଶର ‘ଡ୍ରଗ୍‌ କଣ୍ଟ୍ରୋଲର୍‌’ଙ୍କ ଅନୁମୋଦନ ପାଇଛନ୍ତି।

Image Courtesy of ANI

ଡୋଜ୍‌ ପିଛା ୨୯୫ ଟଙ୍କା ହିସାବରେ ‘ଭାରତ ବାୟୋଟେକ୍‌’ ୩୮.୫ ଲକ୍ଷ ଡୋଜ୍‌ ଟିକା ଯୋଗାଇ ଦେବ। ଏହାଛଡ଼ା, ‘କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ଫର୍‌ ଭ୍ୟାକ୍ସିନ୍‌’ ସହ ଅଂଶୀଦାର ହୋଇଥିବା ‘ଭାରତ ବାୟୋଟେକ୍‌’ କେନ୍ଦ୍ର ସରକାରଙ୍କୁ ମାଗଣାରେ ମଧ୍ୟ ୧୬.୫ ଲକ୍ଷ ଡୋଜ୍‌ ଟିକା ଯୋଗାଇ ଦେବ।

କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୫୪,୭୨,୦୦୦ ଡୋଜ୍‌ କରୋନାଭାଇରସ୍‌ ଟିକା ଗ୍ରହଣ କରିସାରିଛନ୍ତି ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଜାନୁଆରି ୧୪ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶତପ୍ରତିଶତ ଟିକା ପାଇଯିବେ ବୋଲି ମଧ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଦୁଇ ଡୋଜ୍‌ବିଶିଷ୍ଟ ଉଭୟ ‘କୋଭାକ୍ସିନ୍‌’ ଏବଂ ‘କୋଭିସିଲ୍‌ଡ୍‌’ ୨୮ ଦିନ ଅନ୍ତରରେ ଦିଆଯିବ।

The post ସ୍ୱଦେଶୀ କରୋନାଭାଇରସ୍‌ ଟିକା ‘କୋଭାକ୍ସିନ୍‌’ ଯୋଗାଣ ଆରମ୍ଭ କଲା ‘ଭାରତ ବାୟୋଟେକ୍‌’ first appeared on Sambad.



from କରୋନା – Sambad https://ift.tt/2LM0s6J

Post a Comment

0 Comments