
ପୁଣେ: ଦେଶରେ ସମ୍ପ୍ରତି ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ନିର୍ମାତାମାନଙ୍କ ଠାରୁ ମିଳିଥିବା ଯାବତୀୟ ତଥ୍ୟକୁ ଦେଶର ଭେଷଜ ମହାନିୟନ୍ତ୍ରକ ଯେପର୍ଯ୍ୟନ୍ତ ସ୍ବୀକୃତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଏହି ଦୁଇଟି ଟିକା ଖୋଲା ବଜାରରେ ଉପଲବ୍ଧ ହେବନି ବୋଲି ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ସୁତରାଂ ନିକଟ ଭବିଷ୍ୟତରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାର ତବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଏହି ଦୁଇଟି ଟିକା ଖୋଲା ବଜାରରେ ମିଳିବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ ହୋଇଛି।
ଅପରପକ୍ଷେ, ଆସନ୍ତା ସାତ ଆଠ ମାସ ଭିତରେ କିପରି ନିର୍ଦ୍ଧାରିତ ଗୋଷ୍ଠୀଙ୍କର ପ୍ରଥମେ ଟିକାକରଣ କରାଯିବ ତାହା ଉପରେ ସରକାର ଦୃଷ୍ଟି ନିବଦ୍ଧ କରିଛନ୍ତି ବୋଲି ରାଜେଶ ଭୂଷଣ କହିଛନ୍ତି। ସେହିପରି ଟିକାର ନୈଦାନିକ ପରୀକ୍ଷଣ ସଂକ୍ରାନ୍ତ ଯାବତୀୟ ତଥ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଦାଖଲ କରିବା ପାଇଁ ସଂପୃକ୍ତ କମ୍ପାନିମାନଙ୍କୁ କୁହାଯାଇଛି। ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ। ଅପରପକ୍ଷେ, କୌଣସି ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ଫଳାଫଳକୁ ଯେତେ ଅଧିକ ଦିନ ଯାଏ ଅନୁଧ୍ୟାନ କରାଯିବ ତାହା ସେତେ ଉପାଦେୟ ବୋଲି ଅନେକ ପ୍ରମୁଖ ଅନୁଷ୍ଠାନ ମତ ରଖିଛନ୍ତି। ଖୋଲାବଜାର ପାଇଁ ଅନୁମତି ଦେବା ପୂର୍ବରୁ ଏହି ସବୁ ତଥ୍ୟର ଆମୂଳଚୂଳ ପର୍ଯ୍ୟାଲୋଚନା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଏଥି ସହିତ ଖୋଲାବଜାରରେ ଟିକା ଉପଲବ୍ଧ ହେବା ପାଇଁ ଆବଶ୍ୟକ ପଡୁଥିବା ପୂର୍ଣ୍ଣ ପ୍ରାଧିକାର ହିଁ ଏହି ତୃତୀୟ ବା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ଫଳାଫଳ ଉପରେ ନିର୍ଭର କରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମିନାଥନ୍ କହିଛନ୍ତି। ଏସବୁ କଥା ବିଚାର କଲେ ନିକଟ ଭବିଷ୍ୟତରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ଖୋଲା ବଜାରରେ ମିଳିବା ଆଶା କ୍ଷୀଣ ଥିବା ସହଜରେ ଅନୁମେୟ।
The post ଏବେ ଖୋଲା ବଜାରରେ ମିଳିବନି କୋଭିଡ୍ ଟିକା first appeared on Sambad.
from କରୋନା – Sambad https://ift.tt/3651fH0
0 Comments