
ଖୁଣ୍ଟୁଣୀ: କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗ୍ରାମରେ ୩ଦିନ ଭିତରେ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଆଠଗଡ଼ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଉକ୍ତ ଗ୍ରାମକୁ ଗତ ୮ତାରିଖ ଶନିବାର ସନ୍ଧ୍ୟା ୬ଟାରୁ ୧୮ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାତଦିନ ପାଇଁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବାଉଁଶ ବାନ୍ଧି ସିଲ୍ କରାଯାଇଛି। ଏହି ସମୟ ମଧ୍ୟରେ ଖଣ୍ଡୁଆଳି ଗ୍ରାମକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ଏବଂ ଗ୍ରାମବାସୀ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ଦିଲୀପ ଦାସଙ୍କ ନେତୃତ୍ୱରେ ଆୟୁଷ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସାଦ ଗିରି, ସ୍ୱାସ୍ଥ୍ୟ ପରିଦର୍ଶକ ରମାକାନ୍ତ ସିହ୍ନାଙ୍କ ସମେତ ୭ଜଣିଆ ଦଳ ଆଜି ଖଣ୍ଡୁଆଳି ଗ୍ରାମରେ ପହଞ୍ଚି ଗୃହ ସଂଗରୋଧରେ ଥିବା କରୋନା ସଂକ୍ରମିତ ଓ ସେମାନଙ୍କ ପରିବାରକୁ ଭେଟି ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବା ସହ ଔଷଧ ପ୍ରଦାନ କରିଛନ୍ତି।
ବର୍ତ୍ତମାନ ପରିସ୍ଥିତରେ ବାହାରକୁ କିମ୍ବା କାହା ଘରକୁ କେହି ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଟିମ୍ ପରାମର୍ଶ ଦେବା ସହ ସଚେତନତା କରାଇଛନ୍ତି। ଡାକ୍ତର ରାଜଙ୍କ ସୂଚନା ମୁତାବକ, ଗତ ୫ ତାରିଖ ଦିନ ଖଣ୍ଡୁଆଳି ଗ୍ରାମର ଗୋଟିଏ ପରିବାରର ୩ଜଣ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ ୧୫୦ଜଣଙ୍କର ଆଣ୍ଟିଜେନ୍ ଓ ୪୭ଜଣଙ୍କର ଆର୍ଟି-ପିସିଆର ପରୀକ୍ଷା କରାଯାଇଥିଲା। ଆଣ୍ଟିଜେନ୍ ପରୀକ୍ଷା ପରେ ଗତକାଲି ୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅବଶିଷ୍ଟ ୪୭ ଆର୍ଟି-ପିସିଆର ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିଛି ବୋଲି ଡାକ୍ତର ରାଜ କହିଛନ୍ତି।
The post କଣ୍ଟେନ୍ମେଣ୍ଟ ଜୋନ୍ ଖଣ୍ଡୁଆଳି ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍: କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟ ତଦାରଖ, ରାସ୍ତା ସିଲ୍ first appeared on Sambad.
from କରୋନା – Sambad https://ift.tt/3bxqRQe
0 Comments