
ନୂଆଦିଲ୍ଲୀ: ଜାନୁଆରି ୨୭ ତାରିଖରେ ଶ୍ରୀଲଙ୍କାକୁ ୫୦୦,୦୦୦ ଡୋଜ୍ ଭାରତରେ ନିର୍ମିତ ‘କୋଭିସିଲ୍ଡ୍’ ଟିକା ଉପହାର ଭାବେ ପଠାଇବ ବୋଲି ଭାରତ ଘୋଷଣା କରିଛି। ଜାନୁଆରି ୨୭ରେ ଟିକା ତାଙ୍କ ଦେଶରେ ପହଞ୍ଚିବ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟ ରାଜପକ୍ଷ ମଧ୍ୟ ଘୋଷଣା କରିଛନ୍ତି।
ଜାନୁଆରି ୧୬ ତାରିଖ ଠାରୁ ଦେଶବ୍ୟାପୀ ବିଶାଳ ଟିକାକରଣ ଆରମ୍ଭ କରିବା ପରେ ‘କୋଭିଡ୍-୧୯ ଟିକା’ ଉପହାର ପାଇବାରେ ଶ୍ରୀଲଙ୍କା ହେବ ଅଷ୍ଟମ ଦେଶ।
ଗତ ବୁଧବାର ଠାରୁ ଆରମ୍ଭ କରି ଏଯାବତ୍ ଭାରତ ପଡ଼ୋଶୀ ଆଗ ନ୍ୟାୟରେ ସାତଟି ଦେଶକୁ ‘କୋଭିସିଲ୍ଡ୍’ ଟିକା ଉପହାର ଦେଇଛି। ଉପହାର ଭାବେ ଭୁଟାନ ୧୫୦,୦୦୦ ଡୋଜ୍, ମାଳଦ୍ୱୀପ ୧୦୦୦୦୦ ଡୋଜ୍, ନେପାଳ ପ୍ରାୟ ୧ ନିୟୁତ ଡୋଜ୍, ବାଂଲାଦେଶ ୨ ନିୟୁତ ଡୋଜ୍, ମିଆଁମାର୍ ୧.୫ ମିଲିୟନ୍ ଡୋଜ୍, ସିସେଲ୍ଜ୍ ୫୦, ୦୦୦ ଡୋଜ୍ ଏବଂ ମରିସସ୍ ୧୦୦୦୦୦ ଡୋଜ୍ କୋଭିଡ୍-୧୯ ଟିକା ପାଇଛନ୍ତି।
ଟିକା ପଠାଇବାକୁ ଭାରତ ଶ୍ରୀଲଙ୍କା ଏବଂ ଆଫଗାନ ‘ରେଗୁଲେଟରି ଆପ୍ରୋଭାଲ୍’କୁ ଅପେକ୍ଷା କରିଥିଲା। ଶୁକ୍ରବାର ଦିନ ଶ୍ରୀଲଙ୍କାର ଡ୍ରଗ୍ ରେଗୁଲେଟରି ସଂସ୍ଥାନ ‘ନ୍ୟାସ୍ନାଲ୍ ମେଡିସିନ୍ସ୍ ରେଗୁଲେଟରି ଅଥରିଟି’ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଅନୁମୋଦନ ପ୍ରଦାନ କରିଛି।
ଏହାକୁ ଶ୍ରୀଲଙ୍କାସ୍ଥିତ ଭାରତୀୟ ଦୂତାବାସ ସ୍ୱାଗତପୂର୍ବକ ଟୁଇଟ୍ କରି ଲେଖିଛି, ଭାରତରୁ ଶ୍ରୀଲଙ୍କାକୁ ଟିକା ପଠାଇବା ପାଇଁ ପଥ ପରିଷ୍କାର ହୋଇଛି।
ଶ୍ରୀଲଙ୍କାରେ ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ସମୟରେ କଲମ୍ବୋ ବ୍ୟାବସାୟିକ ଭାବେ ଭାରତରେ ନିର୍ମିତ କୋଭିଡ୍-୧୯ ଟିକା ଖରିଦ କରିବ ବୋଲି ଅନୁମାନ କରାଯାଉଛି।
ଜାନୁଆରି ୧୯ ଓ ୨୦ ଦୁଇ ଦିନ ଧରି ଭାରତ ବିଦେଶୀ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୋଭିଡ୍-୧୯ ଟିକା ଦେବା ସଂକ୍ରାନ୍ତରେ ତାଲିମ ଦେଇଛି। ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ମଙ୍ଗୋଲିଆ, ମିଆଁମାର୍, ନେପାଳ, ବହାରିନ୍, ବ୍ରାଜିଲ୍, ମରିସସ୍, ମୋରୋକୋ, ଓମାନ, ସିସେଲ୍ଜ୍
ଏବଂ ଶ୍ରୀଲଙ୍କାର ସ୍ୱାସ୍ଥ୍ୟକର୍ମୀମାନେ ତାଲିମ ଗ୍ରହଣ କରିଛନ୍ତି।
The post ଜାନୁଆରି ୨୭ରେ ଶ୍ରୀଲଙ୍କାକୁ ୫ ଲକ୍ଷ ଡୋଜ୍ ‘କୋଭିସିଲ୍ଡ୍’ ଉପହାର ପଠାଇବ ଭାରତ first appeared on Sambad.
from କରୋନା – Sambad https://ift.tt/2MgpwD8
0 Comments