ନ୍ୟୁୟର୍କ : ଦୀର୍ଘ ୧୭ ବର୍ଷ ତଳେ ମହାମାରୀ ସାର୍ସର ଭୟାବହତା ପଦାକୁ ଆଣିଥିବା ୮୪ ବର୍ଷୀୟ ଚର୍ଚ୍ଚିତ ଚୀନୀ ଡାକ୍ତର ଝୋଙ୍ଗ ନାନସାନ୍‌ଙ୍କୁ ଗତବର୍ଷ ତୁରନ୍ତ ଉହାନ ସହରରେ ଏକ ଅଜଣା କରୋନାଭୂତାଣୁ ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଚୀନୀ କର୍ତ୍ତୃପକ୍ଷ ନିର୍ଦ୍ଦେଶ କରିଥିଲେ। ତେବେ ଡା. ନାନସାନ୍‌ଙ୍କ ଏହି ଐତିହାସିକ ଉହାନ ଗସ୍ତ ଏବେ ଚୀନ୍‌ର କୋଭିଡ୍‌-୧୯ ବିରୋଧରେ ଏକ ଚରମ ବିଜୟପ୍ରାପ୍ତ ଯୁଦ୍ଧ ଥିଲା ବୋଲି ଚର୍ଚ୍ଚା ହେଉଛି। ସେ ଉକ୍ତ ଭୂତାଣୁର ଗତିବିଧିକୁ ଲକ୍ଷ୍ୟ କରି ଏହା ଦ୍ରୁତ ବେଗରେ ବିପଜ୍ଜନକ ସଂକ୍ରମଣ ଘଟାଇ ଚାଲିଛି ବୋଲି ସତର୍କ କରାଇ ଦେଇଥିଲେ। ଏହାର ୪ ଦିନ ପରେ ଗତ ଜାନୁଆରି ୨୩ ତାରିଖରେ ଚୀନୀ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ସମଗ୍ର ଉହାନ ସହରକୁ ଲକ୍‌ଡାଉନ୍‌ରେ ରଖିଥିଲେ । ଚୀନ୍‌କୁ ମହାମାରୀ କୋଭିଡ୍‌ କବଳରୁ ମକୁଳାଇବା ପାଇଁ ସେହି ପ୍ରଥମ ଲକ୍‌ଡାଉନ୍‌ ହିଁ ଥିଲା ସମୟୋଚିତ ନିଷ୍ପତ୍ତି। ମାତ୍ର ବିଶ୍ବର ଅନ୍ୟ ସବୁ ରାଷ୍ଟ୍ରକୁ କୋଭିଡ୍‌ ଦାଉରୁ ବଞ୍ଚାଇବା ବହୁତ ଡେରି ହୋଇଗଲା। ଫଳରେ ଅଦ୍ୟାବଧି କୋଭିଡ୍‌-୧୯ ଉପଦ୍ରବରେ ୧୭ ଲକ୍ଷରୁ ଅଧିକ ଜୀବନ ଚାଲିଯିବାଟା ସାର ହୋଇଛି।

ବାସ୍ତବରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ ସତର୍କ ଘଣ୍ଟି ବଜାଇବାର ଠିକ୍‌ ୨୫ ଦିନ ଆଗରୁ ଗତବର୍ଷ ଡିସେମ୍ବର ୩୦ ତାରିଖରେ ହିଁ ଚୀନ୍‌ରେ ପ୍ରଥମ ସତର୍କ ଘଣ୍ଟି ବାଜିଥିଲା। ସେଦିନ ଉହାନରେ ନିମୋନିଆ ଲକ୍ଷଣ ଥିବା ଜଣେ ଅଦ୍ଭୁତ ରୋଗୀର ଉପଶମ ନହେବା ଘଟଣା ଚିକିତ୍ସକମାନଙ୍କୁ ବିବ୍ରତ କରିଦେଇଥିଲା ଏବଂ ଏଭଳି ଅନୁରୂପ ମାମଲାଗୁଡ଼ିକୁ ତୁରନ୍ତ ରିପୋର୍ଟ କରିବା ପାଇଁ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ତାହା ପୂର୍ବରୁ ଚୀନୀ ଡାକ୍ତର ଓ ବୈଜ୍ଞାନିକମାନେ ଏଭଳି ଭୟାବହତାର କାରଣ ଖୋଜି ଚାଲିଥିବା ବେଳେ ଉହାନ୍‌ ଓ ବେଜିଂରେ ଅଧିକାରୀମାନେ ସଂକ୍ରମଣ ଖବରକୁ ଗୋପନ ରଖୁଥିଲେ କିମ୍ବା ସତର୍କତା ପରେ କିଛି ପଦକ୍ଷେପ ନେବାକୁ ମନା କରିଦେଉଥିଲେ। ଚୀନୀ କର୍ତ୍ତୃପକ୍ଷ ସବୁ ଜାଣିଥିଲେ ଏବଂ ଗୋପନ ରଖୁଥିଲେ। କେବଳ ନେଡ଼ିଗୁଡ଼ କହୁଣୀକୁ ଚାଲିଆସିବାର ଆଶଙ୍କା ଦେଖାଦେବାରୁ ଡା. ନାନସାନ୍‌ଙ୍କୁ କେବଳ ଉହାନ ପଠାଇ ବିଧିବଦ୍ଧ ଭାବେ ଗୋପନୀୟତା ଭଙ୍ଗ କରିବାର ଉପକ୍ରମ କରାଯାଇଥିଲା। ପ୍ରାଥମିକ ସ୍ତରରେ ଚୀନ୍‌ର ଏପରି ବିଳମ୍ବିତ ପ୍ରତିକ୍ରିୟା ତମାମ ବିଶ୍ବରେ ଉକ୍ତ ଭୂତାଣୁକୁ ହାଜର କରିଦେଇଥିଲା ।

The post ୨୫ ଦିନରେ ବଦଳିଗଲା ବିଶ୍ବର ଚିତ୍ର : ଚୀନ୍‌ ହାତରୁ କିଭଳି ଖସିଗଲା କୋଭିଡ୍‌-୧୯ ସଂକ୍ରମଣ first appeared on Sambad.



from କରୋନା – Sambad https://ift.tt/3pRsoVB