ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ଏହି ଭାଇରସ୍‌ର ମୁକାବିଲା କୋଭିଡ୍‌-୧୯ ଟିକା ସ୍ପୁଟ୍‌ନିକ୍‌ ଭି କରିବ ବୋଲି ଆଶା କରାଯାଉଛି। ରୁଷିଆନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ ଫଣ୍ଡ୍‌ର(ଆର୍‌ଡିଆଇଏଫ୍‌) ମୁଖ୍ୟ କିରିଲ୍ ଡିମିଟ୍ରିଭ୍ ରାଷ୍ଟ୍ରପତି ଭ୍ଲଦମିର୍ ପୁତିନଙ୍କୁ ଏ ନେଇ କହିଛନ୍ତି କି ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍ ପାଇଁ କୋଭିଡ୍‌-୧୯ ଟିକା ସ୍ପୁଟ୍‌ନିକ୍‌ ଭି ଫଳପ୍ରଦ ସାବ୍ୟସ୍ତ ହେବ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆର୍‌ଡିଆଇଏଫ୍‌ ସହ ମିଶି ଜାମାଲିଆ ନେସ୍‌ନାଲ୍‌ ସେଣ୍ଟର୍‌ ଅଫ୍‌ ଏପିଡେମିଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଏହି କରୋନା ଟିକା ସ୍ପୁଟ୍‌ନିକ୍‌ ଭି ର ବିକାଶ କରିଛି। ନୂଆ କରୋନା ଭାଇରସ୍‌ ବିରୋଧରେ ସ୍ପୁଟ୍‌ନିକ୍‌ ଭିକୁ ପ୍ରୟୋଗ କରାଯାଇ ୟୁରୋପରେ ଏହାର ସୁପ୍ରଭାବ ଦେଖିବାକୁ ମିଳିଛି ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆସିଥିବା କରୋନା ଭୂତାଣୁର ମୁକାବିଲା କରିବା ପାଇଁ ବିଶ୍ବକୁ ବର୍ଷେ ସମୟ ଲାଗିଥିବା ବେଳେ ଏବେ ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ଖବର ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଇଂଲଣ୍ଡ ପରେ ଏବେ ଇଟାଲୀକୁ ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଏ ନେଇ ଇଟାଲୀର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ରୋଗୀ ଏବଂ ତାଙ୍କ ସହଯୋଗୀ ଗତ କିଛି ଦିନ ତଳେ ବ୍ରିଟେନରୁ ଆସି ରୋମ୍ ର ଫ୍ୟୁମିସିନୋ ବିମାନ ବନ୍ଦରରେ ଅବତରଣ କରିଥିଲେ। ପରେ ଦୁହେଁ ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିବା ପରେ ଏବେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି।

The post ନୂତନ କରୋନା ଭାଇରସ୍‌ର ମୁକାବିଲା କରିବ କୋଭିଡ୍‌-୧୯ ଟିକା ସ୍ପୁଟ୍‌ନିକ୍‌-ଭି first appeared on Sambad.



from କରୋନା – Sambad https://ift.tt/2KOkGfl