ଭୁବନେଶ୍ୱର: କୋଭିଡ୍ ଟିକାକରଣ ସମ୍ବନ୍ଧୀୟ ସଚେତନାର ବ୍ୟାପକ ପ୍ରସାର ଓ ଟୀକାକରଣ ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଅପରାହ୍ନରେ ଲୋକସଭା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣ ପାଇଁ ଗଠିତ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।
କୋଭିଡ୍ ଟିକାକରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଓ ଏହି କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଠିକ୍ ଭାବେ ତାଲିମ ଦେବା ଓ ଆବଶ୍ୟକ ହେଲେ ବିଭିନ୍ନ ବ୍ଳକଗୁଡ଼ିକୁ ଯାଇ ସମୟୋଚିତ ଭାବେ ଟିକାକରଣ ପ୍ରସ୍ତୁତିକୁ ଅନୁଧ୍ୟାନ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ସଠିକ୍ ରୂପାୟନ କିପରି ହୋଇପାରିବ, ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମଚାରୀଙ୍କୁ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ସଂପର୍କରେ ବୁଝାଇଥିଲେ। ଏହାଛଡ଼ା ଯେକୌଣସି ପାର୍ଶ୍ୱପ୍ରତିକ୍ରିୟାକୁ ଦକ୍ଷତାର ସହ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। କୋଭିଡ ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧା ତଥା ୫୦ ବର୍ଷକୁ ଉର୍ଦ୍ଧ୍ୱ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ ଅଣସଂକ୍ରାମକ ରୋଗୀଙ୍କୁ ଚିହ୍ନଟ କରିବା ଓ ଟିକାକରଣ ସମ୍ବନ୍ଧୀୟ ସ୍ଥାନ କିପରି ନିରୂପଣ କରାଯିବ ତା’ର ମାର୍ଗଦର୍ଶିକା ସମ୍ବନ୍ଧରେ ମଧ୍ୟ ଶ୍ରୀମତୀ ପଣ୍ଡିତ ଆଲୋକପାତ କରିଥିଲେ।
ଓସ୍ୱାନ୍ ପ୍ଲାଟଫର୍ମ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ, ସମସ୍ତ ନିର୍ଦ୍ଦେଶକ, ସବୁ ଜିଲ୍ଲାର ଜିଲ୍ଳାପାଳ, ମୁଖ୍ୟ ଚିକିତ୍ସାଧୀକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
The post ରାଜ୍ୟରେ କୋଭିଡ୍ ଟିକାକରଣ ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ first appeared on Sambad.
from କରୋନା – Sambad https://ift.tt/37IxVHL
0 Comments