
ଏଭଳି ମହାମାରୀକୁ ଲୋକ ଦେଖିଥିଲେ ନା ଅନୁଭବ କରିଥିଲେ। କାଁ ଭାଁ କିଛି ଲୋକ ୧୯୧୮ ମସିହାରେ ହୋଇଥିବା ‘ସ୍ପାନିଶ ଫ୍ଲୁ’ ସଂପର୍କରେ ଶୁଣିଥିଲେ। ହେଲେ କରୋନା ସଂକ୍ରମଣ ସମସ୍ତଙ୍କ ଆକଳନକୁ ପଛରେ ପକାଇ ଦେଇଥିଲା। ଏହି ଅଦୃଶ୍ୟ ଶତ୍ରୁକୁ ଲୋକମାନେ ଠିକ୍ରେ ବୁଝିବା ପୂର୍ବରୁ ହିଁ, ଏହାର କବଳରେ ପଡ଼ି ଯାଇଥିଲେ। ରାସ୍ତାଘାଟରେ ଦିନରାତି ଘନ ଘନ ଦୌଡ଼ିଥିଲା ଆମ୍ବୁଲାନ୍ସ। ଘରୁ ବାହାରିଲେ ପାଦେ ପାଦେ ବିପଦ। ଗୋଟିଏ ପଟେ ଭୂତାଣୁ ଭୟ ଅନ୍ୟ ପଟରେ ଲକ୍ଡାଉନ୍ ଓ ସଟ୍ଡାଉନ୍। ଏସବୁ ଶବ୍ଦ ସଂପର୍କରେ ମଧ୍ୟ ଲୋକମାନେ ଅବଗତ ନ ଥିଲେ। ଏହାସାଙ୍ଗକୁ ଘରେ ରହି ସଂକ୍ରମଣକୁ ଦୂରେଇ ରଖିବା ଲାଗି ସରକାରଙ୍କଠାରୁ ବିଶେଷଜ୍ଞ ପର୍ଯ୍ୟନ୍ତ ସମେସ୍ତ ଚେତାବନୀ ଦେଇଥିଲେ। ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ଯତ୍ନ ନେବାକୁ କୁହାଯାଇଥିଲା। ଏମିତି ଢଙ୍ଗରେ ବିତି ଯାଇଥିଲା ଅକ୍ଟୋବର। ଅକ୍ଟୋବର ଶେଷ ଆଡ଼କୁ ସଂକ୍ରମଣ ସାମାନ୍ୟ ଭଟ୍ଟା ପଡ଼ିଥିଲା। ଏହି ସମୟରେ ଏକାଧିକ ଟିକା ନିର୍ମାଣକାରୀ ସଂସ୍ଥା ସେମାନଙ୍କ ଟିକା ସଫଳ ହେଉଥିବା ସୂଚନା ଦେବା ପରେ ଲୋକମାନଙ୍କ ମନରେ ନୂତନ ଆଶାର ସଂଚାର ହୋଇଥିଲା। ଯଦିଓ ଏବେ ସଂକ୍ରମଣ କମିଛି, ତଥାପି ଲୋକଙ୍କ ମନରୁ କରୋନା ଭୟ ଦୂର ହୋଇନି। ରାଜ୍ୟରେ କରୋନା ସଂକ୍ରମଣ, ସରକାରଙ୍କ ପ୍ରସ୍ତୁତି ଓ ଅନୁଭୂତି ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: କ୍ଷିତୀଶ ରାୟ

ମାର୍ଚ ୧୫ ତାରିଖ, ରବିବାର। ରାତି ପ୍ରାୟ ୧୦ଟା ବେଳକୁ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା। ଏହାପରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ମଧ୍ୟରେ ଧାଁ ଧାପଡ଼ ଆରମ୍ଭ ହୋଇଯାଇଥିଲା। ଅଧିକାରୀମାନେ ଦୌଡ଼ିଥିଲେ କ୍ୟାପିଟାଲ ହସ୍ପିଟାଲକୁ। ରାତିସାରା ତନାଘନା ଚାଲିଥିଲା ହସ୍ପିଟାଲ। ୟୁକେରୁ ଫେରନ୍ତା ରାଜଧାନୀର ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ପୃଥକବାସ ୱାର୍ଡରେ ଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ବାପା ଓ ସହାୟକଙ୍କୁ ମଧ୍ୟ ନିରୀକ୍ଷଣରେ ରଖିଥିଲା ସ୍ବାସ୍ଥ୍ୟ ବିଭାଗ। ତେବେ ଏ ସଂପର୍କିତ ଖବର ଲୋକଙ୍କ ନିକଟରେ ପହଞ୍ଚାଇଥିଲା ‘ସମ୍ବାଦ’। ରାଜ୍ୟବ୍ୟାପୀ ଏହାର ଚର୍ଚା ଆରମ୍ଭ ହୋଇ ଯାଇଥିଲା। ଏହାର ପରଦିନ ମାର୍ଚ ୧୬ ତାରିଖରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପାଇଁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଗଣମାଧ୍ୟମ ସାମ୍ନାରେ ଏ ସଂପର୍କରେ ସୂଚନା ଦେଇଥିଲେ। ପରଦିନ ସଂପୃକ୍ତ ଯୁବକଙ୍କ ଭଉଣୀ ଏହି ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ ହେଁ, ସଂକ୍ରମିତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଇଥିଲା।
The post କୋଡିଏର କୋହ, ପ୍ରଥମ କରୋନା ଆକ୍ରାନ୍ତଙ୍କ ଖବର ଦେଇଥିଲା ‘ସମ୍ବାଦ’ first appeared on Sambad.
from କରୋନା – Sambad https://ift.tt/37ENvE3
0 Comments