
ବୋଷ୍ଟନ୍: ଗୁରୁବାର ଦିନ ‘ମଡର୍ଣ୍ଣା’ର କରୋନାଭାଇରସ୍ ଟିକା ନେବା ପରେ ‘ସେଲ୍ଫିସ୍ ଆଲର୍ଜି’ ଥିବା ବୋଷ୍ଟନ୍ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି। (‘ସେଲ୍ଫିସ୍’ ହେଉଛି ଏକ ଜାତୀୟ ସାମୁଦ୍ରିକ ମାଛ, ଯାହାକୁ ଖାଇଲେ ସେ ଡାକ୍ତରଙ୍କ ଦେହରେ ଆଲର୍ଜି ବାହାରିଥାଏ।)
ବୋଷ୍ଟନ୍ ମେଡିକାଲ୍ ସେଣ୍ଟର୍ର ବାର୍ଦ୍ଧକ୍ୟକାଳୀନ କର୍କଟରୋଗ ବିଭାଗର ଶିକ୍ଷାର୍ଥୀ ଥିବା ଡାକ୍ତର ହୋସେନ୍ ସଦରଜାଦେ କହିଛନ୍ତି ଯେ, ଟିକା ନେବା କ୍ଷଣି ହିଁ ସେ ତୀବ୍ର ପାର୍ଶ୍ୱପ୍ରତିକ୍ରିୟା ଅନୁଭବ କରିଥିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ହୃଦ୍ସ୍ପନ୍ଦନ ବଢ଼ି ଯାଇଥିଲା।
ସମଗ୍ର ଆମେରିକାରେ ଟିକା ବଣ୍ଟନ ଆରମ୍ଭ ହେବା ଓ ଦିଆଯିବାର ପ୍ରଥମ ସପ୍ତାହରେ ଏହା ହେଉଛି ‘ମଡର୍ଣ୍ଣା’ ଟିକାର ପ୍ରଥମ ତୀବ୍ର ପାର୍ଶ୍ୱ ପ୍ରତିକ୍ରିୟା। ବୋଷ୍ଟନ୍ ମେଡିକାଲ୍ ସେଣ୍ଟର୍ର ମୁଖପାତ୍ର ଡେଭିଡ୍ କିବେ ଏକ ବିବୃତିରେ କହିଛନ୍ତି ଯେ, ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଡାକ୍ତର ହୋସେନ୍ ସଦରଜାଦେଙ୍କୁ ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଏବେ ସେ ଭଲ ଅଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫାଇଜର୍-ବାୟୋଏନ୍ଟେକ୍’ କୋଭିଡ୍-୧୯ ଟିକା ନେବା ପରେ ୫ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଘଟଣାର ତଦନ୍ତ ଚାଲିଥିବା କଥା ଆମେରିକା ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ର ଜଣେ ଅଧିକାରୀ କହିଛନ୍ତି।
The post ‘ମଡର୍ଣ୍ଣା’ ଟିକା ନେବା ପରେ ବୋଷ୍ଟନ୍ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ୱ ପ୍ରତିକ୍ରିୟା first appeared on Sambad.
from କରୋନା – Sambad https://ift.tt/3rv9qFx
0 Comments