ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ର ମୁକାବିଲା ପାଇଁ କରୋନା ଟିକାକୁ ବ୍ୟାକୁଳତାର ସହ ପ୍ରତୀକ୍ଷା କରାଯାଇଛି। ତେବେ ଏହି ପ୍ରତିକ୍ଷା ଆସନ୍ତାକାଲି ନୂଆ ବର୍ଷରେ ଶେଷ ହେବ ଏବଂ ସରକାର ଦେଶର ପ୍ରଥମ କରୋନା ଟିକା ଘୋଷଣା କରିପାରନ୍ତି ବୋଲି ଭାରତର ଔଷଧ ମହାନ୍ତ୍ରିୟନ୍ତ୍ରଣକ (ଡିସିଜିଆଇ) ଆଜି ସଙ୍କେତ ଦେଇଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ କୋଭିଡ୍‌ ଟିକା ‘କୋଭିସିଲ୍‌ଡ’ର ଜରୁରୀ ବ୍ୟବହହାର ପାଇଁ ମଂଜୁରି ଦେବାକୁ ସରକାର ବିଚାରବିମର୍ଶ ଜାରି ରଖିଛନ୍ତି। ଗତକାଲି ଏ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଟିକା ବାବଦରେ ଅଧିକ ତଥ୍ୟ ବିଶ୍ଲେଷଣ ଜରୁରୀ ଥିବାରୁ କୋଭିସିଲ୍‌ଡକୁ ମଂଜୁରି ଦେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନଥିଲା। ଏ ବାବଦରେ ପରବର୍ତ୍ତୀ ବୈଠକରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ପରେ ସରକାର ଦେଶର ପ୍ରଥମ କରୋନା ଟିକା ବାବଦରେ ଘୋଷଣା କରିପାରନ୍ତି। ଆସନ୍ତାକାଲି ହେବାକୁ ଥିବା ବୈଠକରେ କେବଳ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା କୋଭିସିଲ୍‌ଡ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିବାରୁ କୋଭିସିଲ୍‌ଡ ହିଁ ଭାରତର ପ୍ରଥମ କୋଭିଡ୍‌ ଟିକା ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି ।

ସିରମ୍‌ ଏବେ ପ୍ରାୟ ୫ କୋଟି କୋଭିସିଲ୍‌ଡ ମାତ୍ରା ପ୍ରସ୍ତୁତ କରି ରଖିଛି ଏବଂ ଏହାର ସିଂହଭାଗ ଭାରତକୁ ମିଳିବ ବୋଲି ସ୍ପଷ୍ଟ କରିଥିବାରୁ ଏହି ଟିକାକୁ ଅନୁମୋଦନ ମିଳିଲେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଆରମ୍ଭ ହୋଇଯିବ। ବିଭିନ୍ନ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି ଏବଂ ପ୍ରଥମ ପର୍ଯ୍ୟାୟରେ ସରକାର ୩୦ କୋଟି ଲୋକଙ୍କୁ ଟିକା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମୀ, କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସର ଅସୁସ୍ଥ ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ। ଭାରତ ବାୟୋଟେକ୍‌ ଏବଂ ଫାଇଜର୍‌ କମ୍ପାନି ପକ୍ଷରୁ ମଧ୍ୟ ସେମାନଙ୍କ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଛି।

The post ଔଷଧ ମହାନିୟନ୍ତ୍ରକଙ୍କ ସଙ୍କେତ, ନୂଆବର୍ଷରେ ଦେଶକୁ ମିଳିବ ପ୍ରଥମ ଟିକା first appeared on Sambad.



from କରୋନା – Sambad https://ift.tt/2WYvs5R