
ଭୁବନେଶ୍ୱର : ଏଣିକି କରୋନା ସଂକ୍ରମିତଙ୍କ ଘର ସମ୍ମୁଖରେ କୋଭିଡ୍-୧୯ ପୋଷ୍ଟର ଲଗାଯିବ ନାହିଁ। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସକୁ ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନସିପାଲ କମିସନର ଓ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏ ନେଇ ପତ୍ର ଲେଖିଛନ୍ତି। ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହେବା ଯୋଗୁଁ ଏଭଳି ପୋଷ୍ଟର ଲଗାଯିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ଗତ ମାର୍ଚ ମାସରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଲୋକମାନେ ସଙ୍ଗରୋଧ ନିୟମକୁ ଖିଲାପ କରୁଥିବା ନଜରକୁ ଆସିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍ଗରୋଧରେ ରହୁଥିବା ଲୋକଙ୍କ ଘର ଆଗରେ ଏଭଳି ଏକ ପୋଷ୍ଟର ଲଗାଇବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିରେ ସଙ୍ଗରୋଧର ଅବଧି, ସଂପୃକ୍ତ ବ୍ୟକ୍ତିଙ୍କ ନାମ ଓ ଅନ୍ୟ ସୂଚନା ଦିଆଯାଉଥିଲା। ସେବେଠାରୁ ସଂକ୍ରମିତଙ୍କ ଘର ସମ୍ମୁଖରେ ଏଭଳି ପୋଷ୍ଟର ଲଗାଯାଉଥିଲା। ଏହାକୁ ନେଇ ଅନେକ ସ୍ଥାନରେ ସାମାଜିକ ବାସନ୍ଦ ଭଳି ଅଭିଯୋଗ ମଧ୍ୟ ହୋଇଥିଲା।
ସୂଚନାଯୋଗ୍ୟ ଯେ କରୋନା ରୋଗୀଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବା ଯୋଗୁଁ ରୋଗୀଙ୍କୁ ଅଛୁଆଁ ଭଳ ବ୍ୟବହାର କରାଯାଉଥିବାରୁ ଗତକାଲି ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ସଫେଇ ଦେଇ କେନ୍ଦ୍ର ସରକାର କହିଥିଲେ ଯେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି କୌଣସି ପରାମର୍ଶ ଦିଆଯାଇ ନାହିଁ।
The post କରୋନା ସଂକ୍ରମିତଙ୍କ ଘର ସମ୍ମୁଖରେ ଲାଗିବନି ପୋଷ୍ଟର first appeared on Sambad.
from କରୋନା – Sambad https://ift.tt/2VtRLzp
0 Comments