
ଭୁବନେଶ୍ବର : ଜାନୁଆରି ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ ବୋଲି କୁହାଯାଇଛି।
କଣ୍ଟେନମେଣ୍ଟ ଜୋନ୍ରେ ଏହି ନିଷେଧାଦେଶ ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋଭିଡ୍-୧୯ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହି କଣ୍ଟେନମେଣ୍ଟ ଜୋନ୍ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ପ୍ରଦାନ କରିବେ।
କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ | ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ ଯିବାଆସିବା ଉପରେ କଡା ନିୟନ୍ତ୍ରଣ ରହିବ|ଏହି ଜୋନରେ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ।
କୋଭିଡ୍ ପଜିଟିଭ୍ ଚିହ୍ନଟ ସବୁ ବ୍ୟକ୍ତିଙ୍କର ୭୨ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବ । କେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ। କରୋନା ରୋଗୀଙ୍କର ଅତିକମରେ ୮୦ ଭାଗ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।
ଏଥିସହ ରୋଗୀମାନଙ୍କୁ ଯଥା ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯଦି ସେ ଘରେ ଆଇସୋଲେସନରେ ରହିବାକୁ ଚାହାନ୍ତି ତେବେ ସେ ଘରେ ରହିବେ। ତୁରନ୍ତ ତାଙ୍କୁ ସେ ସୁବିଧା ଦିଆଯିବ। ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ନ ଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯିବ।
କଣ୍ଟେନମେଣ୍ଟ ଜୋନରେ ଯେଭଳି କଡାକଡି ଭାବରେ ନିୟମ ପାଳନ କରାଯାଏ ତାହା ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପୁଲିସ ପ୍ରଶାସନ ଏବଂ ମୁନିସପାଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଯଦି ଏଥିରେ ଅବହେଳା ସାମ୍ନାକୁ ଆସେ ତେବେ ପ୍ରଶାସନର ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ ଓ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ହେବ।
The post ଜାନୁଆରିରେ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ first appeared on Sambad.
from କରୋନା – Sambad https://ift.tt/3px6kPN
0 Comments