
ଭୁବନେଶ୍ୱର : ଲଗାତାର ତୃତୀୟ ଥର ଲାଗି ରାଜ୍ୟ ସରକାର କରୋନା ପାଇଁ ଜରୁରୀ ଆର୍ଟି-ପିସିଆର ପରୀକ୍ଷା ଦରକୁ ହ୍ରାସ କରିଛନ୍ତି। ଏଣିକି ଘରୋଇ ପରୀକ୍ଷାଗାର/ହସ୍ପିଟାଲରେ ଆର୍ଟି-ପିସିଆର ପାଇଁ ଜିଏସ୍ଟି ସହିତ ୪ଶହ ଟଙ୍କା ଦେବାକୁ ହେବ। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ଉତ୍ତର ପ୍ରଦେଶ ରାଜ୍ୟ ସରକାର ଆର୍ଟି-ପିସିଆର ପରୀକ୍ଷା ଦର ହ୍ରାସ କରି ସାରିଛନ୍ତି। ତେବେ ଓଡ଼ିଶାର ଆର୍ଟି-ପିସିଆର ପରୀକ୍ଷା ଦର ଦେଶରେ ଏ ଯାଏଁ ସବୁଠାରୁ କମ୍ ବୋଲି ଜଣାପଡ଼ିଛି। ଏସବୁ ପରୀକ୍ଷା ଆରଏମ୍ଆରସିର ତତ୍ତ୍ବାବଧାନରେ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ଜୁଲାଇ ୩ ଓ ଅଗଷ୍ଟ ୨୫ ତାରିଖରେ ଆର୍ଟି-ପିସିଆର ପରୀକ୍ଷା ଦର ୪୫ଶହରୁ ୨୨ଶହ ଓ ପରେ ୧୨ଶହକୁ ହ୍ରାସ କରିଥିଲେ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷା କିଟ୍ର ଦର ହ୍ରାସ ଯୋଗୁଁ ଦର କମାଇ ଦିଆଯାଇଛି। ପୂର୍ବରୁ ଆର୍ଟି-ପିସିଆର କିଟ୍ ୧୨ଶହ ଟଙ୍କା ପଡ଼ୁଥିବା ବେଳେ ଏବେ ତାହା ଯଥେଷ୍ଟ ହ୍ରାସ ପାଇଛି। ସେହିପରି ଆର୍ଟି-ପିସିଆର ବାଦ୍ ରାପିଡ୍ ଆଣ୍ଟିଜେନ୍ କିଟ୍ର ଦର ମଧ୍ୟ ଆଗକୁ ହ୍ରାସ ପାଇବ ବୋଲି ସୂଚନା ମିଳିଛି। ଏବେ ଘରୋଇ ପରୀକ୍ଷାଗାରରେ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା ପାଇଁ ୪୫୦ ଟଙ୍କା ଦେବାକୁ ପଡ଼ୁଛି। ତେବେ ଦର ହ୍ରାସ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ତେବେ ସରକାରୀ କ୍ଷେତ୍ରରେ ଉଭୟ ପରୀକ୍ଷା ଦେୟମୁକ୍ତ ରହିଛି। ରାଜ୍ୟରେ ଆର୍ଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ କିଟ୍କୁ ମିଶାଇ ଏ ଯାଏ ୫୯ଲକ୍ଷ ୭୭ହଜାର ୯୭୦ କୋଭିଡ୍ ନମୁନା ପରୀକ୍ଷା ହୋଇ ସାରିଲାଣି।
The post ଏବେ ୪ଶହ ଟଙ୍କାରେ ଆର୍ଟି-ପିସିଆର୍ ପରୀକ୍ଷା first appeared on Sambad.
from କରୋନା – Sambad https://ift.tt/2Vy0Nv6
0 Comments