
ନୂଆଦିଲ୍ଲୀ: ରୁଷ୍ ପ୍ରସ୍ତୁତ କରିଥିବା କରୋନାଭାଇରସ୍ ଟିକା ‘ସ୍ପୁଟ୍ନିକ୍-୫’ ଦୁଇ ବର୍ଷ ପର୍ଯ୍ୟନ୍ତ ସଂକ୍ରମଣ ପ୍ରତିରୋଧ କରିପାରିବ ବୋଲିଏହାର ପ୍ରସ୍ତୁତକର୍ତ୍ତା ‘ଗାମାଲେୟା’ ଗବେଷଣା କେନ୍ଦ୍ର କହିଛି।
ଏହି ସଂକ୍ରମଣ ପ୍ରତିରୋଧକ କ୍ଷମତାର ସମୟସୀମା ‘ଫାଇଜର୍-ବାୟୋଏନ୍ଟେକ୍’ କୋଭିଡି-୧୯ ଟିକା ଠାରୁ ଖୁବ୍ ଅଧିକ। ଫାଇଜର୍ ଟିକା ୪/୫ ମାସଯାଏଁ ସଂକ୍ରମଣ ପ୍ରତିରୋଧ କରିବ ବୋଲି ଶୁଣାଯାଉଛି।
ସୋମବାର ଦିନ ରୁଷ୍ ‘ଗାମାଲେୟା ଗବେଷଣା ପ୍ରତିଷ୍ଠାନ’ର ମୁଖ୍ୟ ଆଲେଜାଣ୍ଡର୍ ଜିଣ୍ଟ୍ସ୍ବର୍ଗ କହିଛନ୍ତି, ଏହି ଟିକା ଅନ୍ୟୂନ ୨ ବର୍ଷ ପର୍ଯ୍ୟନ୍ତ ପ୍ରତିରୋଧକ ଶକ୍ତି ଯୋଗାଇବ। ‘ଫାଇଜର୍’ ଟିକା ଉପରେ ମନ୍ତବ୍ୟ ଦେଇ ଜିଣ୍ଟ୍ସ୍ବର୍ଗ କହିଲେ, ଫାଇଜର୍ ଟିକା କେତେ ଦିନ ପର୍ଯ୍ୟନ୍ତ ସଂକ୍ରମଣ ପ୍ରତିରୋଧକ କ୍ଷମତା ଯୋଗାଇବ ତାହା କହିବା କଷ୍ଟକର। କିନ୍ତୁ, ସାଧାରଣ ଗବେଷଣାରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ଜଣେ ଭାବିବ ଏହାର ସୁରକ୍ଷା ଯୋଗାଣ କ୍ଷମତା ୪/୫ ମାସରୁ ଅଧିକ ନୁହେଁ। ଅବଶ୍ୟ ଏହି ଟିକାର ପରୀକ୍ଷାମୂଳକ ତଥ୍ୟ ଯାଞ୍ଚ କରାଯିବା ଆବଶ୍ୟକ।
‘ସ୍ପୁଟ୍ନିକ୍-୫’ ଟିକା ଦ୍ୱାରା ରୁଷ୍ରେ ଗଣଟିକାକରଣ ଆରମ୍ଭ ହୋଇ ସାରିଛି। ଏହି ଟିକା ୯୫% ଫଳପ୍ରଦ ବୋଲି ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ରିପୋର୍ଟକୁ ଆଧାର କରି ଏହାର ନିର୍ମାତାମାନେ କହୁଛନ୍ତି।
୪୦ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ରୁଷ୍ରେ ଚାଲିଥିବା ‘ସ୍ପୁଟ୍ନିକ୍-୫’ ଟିକାର ତୃତୀୟ ତଥା ପୂର୍ଣ୍ଣ ପରୀକ୍ଷା ଅଦ୍ୟାବଧି ଶେଷ ହୋଇନାହିଁ।
ଏ ପର୍ଯ୍ୟନ୍ତ ଗଣଟିକାକାରଣ କରି ନ ଥିବା ଭାରତ ପାଇଁ ଏହା ସୁସମ୍ବାଦ ହୋଇପାରେ। ଭାତରେ ଏହି ଟିକାର ପରୀକ୍ଷା ଏବଂ ‘ରେଗୁଲେଟରି’ ଅନୁମୋଦନ ପାଇଁ ‘ଡକ୍ଟର୍ ରେଡିସ୍ ଲାବ୍ରୋଟରି’ ସହ ଅନୁବନ୍ଧନ କରାଯାଇଛି। ଯଦି ଅନୁମୋଦନ ମିଳେ, ଭାରତକୁ ୧୦୦ ନିୟୁତ ଡୋଜ୍ ଟିକା ଯୋଗାଣ ହୋଇପାରେ।
The post ଦୁଇବର୍ଷ ପାଇଁ ସଂକ୍ରମଣ ପ୍ରତିରୋଧ କରିପାରେ କରୋନାଭାଇରସ୍ ଟିକା ‘ସ୍ପୁଟ୍ନିକ୍-୫’: ରୁଷ୍ first appeared on Sambad.
from କରୋନା – Sambad https://ift.tt/389zX2l
0 Comments