ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍‌ରେ ପୁଣି ଚିନ୍ତା ବଢାଇଛି କରୋନା। ପାଖାପାଖି ଦୁଇ ମାସର ବ୍ୟବଧାନ ପରେ ଜିଲ୍ଲାର ଏକ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କରୋନା ପ୍ରକୋପ ହ୍ରାସ ପାଇବା, ରୋଗୀ ସଂଖ୍ୟା କମି ଚାଲିବାକୁ ନେଇ ଗୋଟିଏ ପଟେ ରାଜ୍ୟରେ କିଛିଟା ଆଶ୍ବସ୍ତି ପ୍ରକାଶ ପାଇଥିବା ବେଳେ ଏବେ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିବା ଘଟଣା ଉଦ୍‌ବେଗର କାରଣ ହୋଇଛି।

ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ଆଜି ସକାଳ ୮ଟାରୁ ଏହା ଲାଗୁ ହୋଇଛି। ଏହି ସମୟରେ ଗ୍ରାମର କୌଣସି ଲୋକଙ୍କୁ ବାହାରକୁ ଯିବା ଅଥବା ବାହାର ଲୋକଙ୍କୁ ଗ୍ରାମକୁ ଆସିବା ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏଭଳି ନିଷ୍ପତ୍ତି ସଂପର୍କରେ ଆଠଗଡ଼ ବିଡିଓ ଅରୁଣ କୁମାର ଦାସ ସୂଚନା ଦେବା ସହିତ ଉପଜିଲ୍ଲାପାଳଙ୍କୁ ମଧ୍ୟ ଆଜି ଅବଗତ କରିଛନ୍ତି। ଗତକାଲି ପାଇକେରାପୁରରେ ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ମୋଟ ୭୫ ଜଣଙ୍କ ସ୍ବାବ ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏଭଳି ସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ପାଇକେରାପୁର ଗ୍ରାମକୁ ସିଲ୍‌ କରାଯାଇଛି। ସ୍ଥିତି ଉପର ନଜର ରଖାଯିବା ସହିତ ଆବଶ୍ୟକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଗ୍ରାମରେ ଅଧିକ ଟେଷ୍ଟ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ଯୋଜନା କରୁଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମକୁ ପରିଦର୍ଶନରେ ଯିବା ସହିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଯେଉଁ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନେ ବାହାରକୁ କେଉଁଠିକୁ ଯାଇ ନଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଗଲା ଅକ୍ଟୋବର ମାସ‌ରେ ଶେଷ ଥର ପାଇଁ ଆଠଗଡ ବ୍ଲକ କୁସପଙ୍ଗୀ ପଂଚାୟତ ସାରକୋଳି, ପଇଲାବଲାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସେତେବେଳେ ସେହି ଗ୍ରାମରୁ ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।

The post ଆଠଗଡ଼ରେ କଣ୍ଟେନ୍‌ମେଣ୍ଟ ଜୋନ୍‌, ୯ ପିଜିଟିଭ୍‌ ପରେ ଚିନ୍ତା ବଢ଼ିଲା first appeared on Sambad.



from କରୋନା – Sambad https://ift.tt/38yDdVg