ବ୍ରାଜିଲିଆ: ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ କରୋନାଭାଇରସ୍‌ ଟିକାକୁ ସମାଲୋଚନା କରିବା ସହ କହିଛନ୍ତି ଯେ, ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ ପ୍ରସ୍ତୁତ ଟିକା ମଣିଷମାନଙ୍କୁ ‘କୁମ୍ଭୀର’ କିଂବା ‘ଦାଢ଼ିଥିବା ନାରୀ’ କରି ଦେଇପାରେ।

ପ୍ରଥମ କରି ଗତବର୍ଷ ଦେଖା ଦେଇଥିବା ‘କରୋନାଭାଇରସ୍‌’ ପ୍ରତି ଉଗ୍ର-ଦକ୍ଷିଣପନ୍ଥୀ ନେତା ବୋଲ୍‌ସୋନାରୋ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହା ହେଉଛି ‘ସାମାନ୍ୟ ଶର୍ଦ୍ଦି’ ରୋଗ। ତେଣୁ, ତାଙ୍କ ଦେଶରେ ଗଣଟିକାକରଣ ଆରମ୍ଭ ହେଲେ ବି ସେ ଏହି ଟିକା ନେବେ ନାହିଁ ବୋଲି ଏ ସପ୍ତାହରେ ଗୁରତ୍ୱ ଦେଇ କହିଛନ୍ତି।

ଗୁରୁବାର ଦିନ ବୋଲ୍‌ସୋନାରୋ କହିଛନ୍ତି, କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନିମନ୍ତେ ‘ଆମ୍ଭେ’ ଦାୟୀ ରହିବୁ ନାହିଁ ବୋଲି ‘ଫାଇଜର୍‌’ ରାଜିନାମାରେ ସ୍ପଷ୍ଟ କରିଦିଆଯାଇଛି। ଟିକା ନେଇ ଯଦି ଆପଣ ‘କୁମ୍ଭୀର’ ପାଲଟି ଯାଆନ୍ତି, ସେଇଟା ଆପଣଙ୍କର ଦୁର୍ଭାଗ୍ୟ।

କିଛି ସପ୍ତାହ ହେବ ବ୍ରାଜିଲ୍‌ରେ ଏହି ଟିକାର ନୈଦାନିକ ପରୀକ୍ଷା ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଂଲଣ୍ଡରେ ଏହାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ସ୍ୱୀକୃତି ମିଳିସାରିଛି।

Image Courtesy of Hindustan Times

ଟିକା ନିର୍ମାତାଙ୍କୁ ଉଦ୍ଦେଶ୍ୟ କରି ସେ ଆହୁରି ମଧ୍ୟ କହିଛନ୍ତି, ଟିକା ନେବାଦ୍ୱାରା ଯଦି ଆପଣ ‘ସୁପର୍‌ହ୍ୟୁମାନ୍‌’ ହୋଇଯିବେ, କିଂବା କୌଣସି ମହିଳାଙ୍କର ଦାଢ଼ି ଉଠିବ କିଂବା କୌଣସି ପୁରୁଷର କଣ୍ଠସ୍ୱର ନାରୀ କଣ୍ଠସ୍ୱର ପାଲଟି ଯିବ, ସେଥିପାଇଁ ସେମାନେ ଉତ୍ତରଦାୟୀ ରହିବେ ନାହିଁ।
ବୁଧବାର ଦିନ ଟିକାକରଣ ଅଭିଯାନ ଆରମ୍ଭ କରି ବୋଲ୍‌ସୋନାରୋ ମଧ୍ୟ କହିଛନ୍ତି ଯେ, ଟିକା ମାଗଣାରେ ଦିଆଯିବ, କିନ୍ତୁ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ।

କିନ୍ତୁ, ଗୁରୁବାର ଦିନ ବ୍ରାଜିଲ୍‌ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଲୋକମାନଙ୍କୁ ‘ବଳପୂର୍ବକ’ ଟିକା ଦିଆ ନ ଗଲେ ବି ଟିକା ନେବା ବାଧ୍ୟତାମୂଳକ। ଏହାର ଅର୍ଥ, ଟିକା ନ ନେଇଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସରକାରୀ କର୍ତ୍ତୃପକ୍ଷ ଜରିମାନା କରିପାରନ୍ତି ଏବଂ ନିର୍ଦ୍ଦିଷ୍ଟ କେତେକ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ନିଷେଧାଦେଶ ଜାରି କରିପାରନ୍ତି। କିନ୍ତୁ, କାହାକୁ ଟିକା ନେବା ପାଇଁ ବାଧ୍ୟ କରାଯିବ ନାହିଁ।

ବ୍ରାଜିଲ୍‌ ସମୁଦାୟ ୨୧୨ ନିୟୁତ ଲୋକଙ୍କ ମଧ୍ୟରୁ ୭.୧ କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୮୫, ୦୦୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

The post କୋଭିଡ୍‌ ଟିକା ମଣିଷଙ୍କୁ ‘କୁମ୍ଭୀର’ କରି ଦେଇପାରେ: ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲ୍‌ସୋନାରୋ first appeared on Sambad.



from କରୋନା – Sambad https://ift.tt/3amd8LL