ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ରାଷ୍ଟ୍ରଭାବେ ଆମେରିକାରେ କରୋନା ସଂକ୍ରମଣ ୧ କୋଟି ଟପିଛି। ଆମେରିକାରେ ଏବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। କେବଳ ଗତ ୧୦ ଦିନ ମଧ୍ୟରେ ଆମେରିକାରେ ୧୦ ଲକ୍ଷ ସଂକ୍ରମଣ ରିପୋର୍ଟ କରାଯାଇଛି। ଆମେରିକାରେ କରୋନା ସଂକ୍ରମଣ ୧ କୋଟି ଟପିବା ସହିତ ବିଶ୍ବରେ ସଂକ୍ରମଣ ମାମଲା ୫ କୋଟି ଟପିଯାଇଛି। ଗୋଟିଏ ପଟେ କରୋନା ମହାମାରୀ ଆମେରିକା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ ଅନ୍ୟପକ୍ଷେ ନିର୍ବାଚନ ପରେ ହିଁ ଆମେରିକାରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ସଂକ୍ରମଣ ବଢ଼ିବାରୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ମୁକାବିଲା ପାଇଁ ନୂଆ କରୋନା ଭାଇରସ୍‌ ଟିମ୍‌ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନରେ କରୋନା ମୁକାବିଲା ପାଇଁ ଯେଉଁ ‌ବୈଜ୍ଞାନିକମାନେ ନେତୃତ୍ବ ନେବେ ତାଙ୍କ ନାମ ବାଇଡେନ୍‌ଙ୍କ ନିର୍ବାଚନ ପରିଚାଳନା କାର୍ଯ୍ୟ ସମ୍ଭାଳୁଥିବା ଗୋଷ୍ଠୀ ପକ୍ଷରୁ ଘୋଷଣା କରାଯାଇଛି। ନୂଆ ବୋର୍ଡରେ ମହାମାରୀ ରୋଗ ବିଶେଷଜ୍ଞ ଏବଂ ପୂର୍ବତନ ଏଫ୍‌ଡିଏ (ଫେଡେରାଲ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌) କମିସନର ଡାଭିଡ କେସଲର, ପୂର୍ବତନ ସର୍ଜନ୍‌ ଜେନେରାଲ ତଥା ଭାରତୀୟ ବଂଶୋଦ୍ଭବ ବିବେକ ମୂର୍ତ୍ତି ଏବଂ ପ୍ରଫେସର ନ୍ୟୁନେଜ୍‌ ସ୍ମିଥ୍‌ ରହିବେ। ଏହାବାଦ୍‌ ଅନ୍ୟ ୧୦ ଜଣ ସଦସ୍ୟ ମଧ୍ୟ ଏହି ବୋର୍ଡ‌୍‌ରେ ରହିବେ।

ଉଲ୍ଲେଖ‌ଯୋଗ୍ୟ ଯେ, ଗତ ଶନିବାର ଦିନ ଆମେରିକାରେ ସର୍ବାଧିକ ୧ ଲକ୍ଷ ୩୧ ହଜାର ୪୨୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଗତ ୭ ଦିନ ମଧ୍ୟରେ ସଂକ୍ରମଣ ମାମଲା ୪ ଥର ୧ ଲକ୍ଷରୁ ଅଧିକ ରହିଛି। ଅନ୍ୟପକ୍ଷେ ୨ ଲକ୍ଷ ୩୭ ହଜାର ଆମେରିକୀୟଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ରଏଟର୍ସ ଆକଳନ ଅନୁଯାୟୀ ବିଶ୍ବରେ ପ୍ରତିଦିନ ପ୍ରତି ୧୧ ମୃତ୍ୟୁରୁ ଗୋଟିଏ ଆମେରିକାରୁ ହୋଇଛି। ଗତ ଶନିବାର ପର୍ଯ୍ୟନ୍ତ ଲଗାତାର ୫ ଦିନ ଧରି ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୧ ହଜାରରୁ ଅଧିକ ରହିଥିଲା। ଅଗଷ୍ଟ ମଧ୍ୟଭାଗରେ ମଧ୍ୟ ଆମେରିକାରେ କରୋନା ମୃତ୍ୟୁ ପ୍ରତିଦିନ ୧ ହଜାରରୁ ଅଧିକ ରହୁଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣ ବଢ଼ିବା ସହ ଆସନ୍ତା ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ କରୋନା ମୃତ୍ୟୁ ଅଧିକ ରହିବ।

The post ବିଶ୍ୱରେ ୫ କୋଟି ଟପିଲା କରୋନା first appeared on Sambad.



from କରୋନା – Sambad https://ift.tt/3n8mo9j