ନୂଆଦିଲ୍ଲୀ : ନୀତି ଆୟୋଗର ‘ ମିଟିଗେସନ୍ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ କୋଭିଡ୍-୧୯’ ପୁସ୍ତକ ପ୍ରକାଶ ପାଇଛି। ଏହି ପୁସ୍ତକରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ୍ ପରିଚାଳନା ସମ୍ପର୍କିତ ଅନୁଭବକୁ ଦର୍ଶାଯାଇଛି। ପୁସ୍ତକରେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି, ସଚେତନା ସୃଷ୍ଟି ତଥା ବ୍ୟବହାରରେ ପରିବର୍ତ୍ତନ, କ୍ଷମତା ବୃତ୍ତି ତଥା ସ୍ୱାସ୍ଥ୍ୟ ୱାର୍କଫୋର୍ସର ବିକାଶ, ପ୍ରବାସୀ ଶ୍ରମିକମାନଙ୍କ ପ୍ରସଙ୍ଗକୁ ନେଇ ଉଲ୍ଲେଖ କରାଯାଇଛି।

ଏହି ପୁସ୍ତକରେ ଓଡ଼ିଶା ସରକାରଙ୍କ କୋଭିଡ୍‌ ପରିଚାଳନା ସମ୍ପର୍କରେ ବି ବିବରଣୀ ରହିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଦୁଇଟି ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଥିଲେ। ଦେଶର ପ୍ରଥମ ରାଜ୍ୟ ଭାବେ ଏପ୍ରିଲ୍‌ ମାସ ପୂର୍ବରୁ ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶା ସରକାର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ପିଲାମାନଙ୍କୁ ସଚେତନତା ସୃଷ୍ଟି ଦିଗରେ ଉତ୍ସାହିତ କରିବା ପାଇଁ ଅନ୍‌ଲାଇନ୍‌ ପ୍ରତିଯୋଗିତା ‘ମୋ ପ୍ରତିଭା’ର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ଡାକ୍ତର, ନର୍ସ ତଥା ପାରାମେଡିକାଲ ଷ୍ଟାଫ୍‌ମାନଙ୍କର ଚାରି ମାସର ଅଗ୍ରୀମ ବେତନ ଘୋଷଣା କରାଯାଇଥିଲା। କୋଭିଡ୍‌ ଚିକିତ୍ସା ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ବ୍ୟକ୍ତିଗତ ଭାବେ ସମ୍ମାନ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ ଜଣାଇଥିଲେ। ଏଥିସହିତ, ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। କାର୍ଯ୍ୟ ସମୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କର ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ସହାୟତା, ଗଣମାଧ୍ୟମ କର୍ମୀମାନଙ୍କୁ କର୍ତ୍ତବ୍ୟ ନିର୍ବାହ ସମୟରେ ମୃତ୍ୟୁରେ ୧୫ ଲକ୍ଷ ଟଙ୍କାର ସହାୟତା ଭଳି ପଦକ୍ଷେପ ସମ୍ପର୍କରେ ମଧ୍ୟ ପୁସ୍ତକରେ ଉଲ୍ଲେଖ କରାଯାଇଛି।

ପୁସ୍ତକରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯାହାଦ୍ୱାରା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାର ଘୋଷଣା ତଥା ମାଗଣାରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବାର ଉଲ୍ଲେଖ କରାଯାଇଛି। ଲକ୍‌ଡାଉନ୍‌ରେ ଫସିଥିବା ୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବାର ପଦକ୍ଷେପ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ରାଜ୍ୟରେ ପଞ୍ଚାୟତିରାଜ ସଂସ୍ଥାକୁ ସକ୍ରିୟ କରିବା, ପ୍ରବାସୀ ଶ୍ରମିକମାନଙ୍କର ଯତ୍ନ ନେବା ପାଇଁ ୬,୭୦୦ ସରପଞ୍ଚମାନଙ୍କର ଶପଥ ନେବା ତଥା ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ ଭଳି ପ୍ରସଙ୍ଗଗୁଡ଼ିକ ପୁସ୍ତକରେ ଉଲ୍ଲେଖ କରାଯାଇଛି।

The post ନୀତି ଆୟୋଗ ପୁସ୍ତକରେ ଓଡ଼ିଶାର କୋଭିଡ୍‌ ପରିଚାଳନା first appeared on Sambad.



from କରୋନା – Sambad https://ift.tt/2JcE2uj