
କଟକ : କଟକ ମହାନଗର ନିଗମରେ ଆଜିଠାରୁ ସେରୋ ସର୍ଭେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସିଏମସିର ୧୦ଟି ୱାର୍ଡରେ ୬୩୦ରୁ ଅଧିକ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସିଏମସି ଓ ଆର୍ଏମ୍ଆର୍ସି ଭୁବନେଶ୍ବରର ମିଳିତ ସହଯୋଗରେ ସହରରେ ଏହା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମହାନଗର ନିଗମର ୨୫ଟି ୱାର୍ଡରେ ନଭେମ୍ବର ୫ ତାରିଖ ମଧ୍ୟରେ ସେରୋ ସର୍ଭେ କରାଯିବ। ଏଥିରେ ଲୋକଙ୍କ ମଧ୍ୟରେ କରୋନା ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ତିଆରି ହୋଇଛି ତାହା ଜଣାପଡ଼ିବ। ସାଧାରଣ ଲୋକଙ୍କ ସହିତ ସ୍ବାସ୍ଥ୍ୟକର୍ମୀ, ସିଏମସି କର୍ମଚାରୀ, ସରକାରୀ କର୍ମଚାରୀ, ବ୍ୟାଙ୍କ ଓ ପୁଲିସ କର୍ମଚାରୀ ଆଦିଙ୍କୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି।
ସେରୋ ସର୍ଭେ ପାଇଁ ସିଏମସି ତରଫରୁ ୫ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍ରେ ଆର୍ଏମ୍ଆର୍ସିର ଡାକ୍ତର, ଲାବୋରେଟୋରି ଟେକନିସିଆନ୍, ୱାର୍ଡ ଅଫିସର, ସାନିଟାରି ଇନ୍ସ୍ପେକ୍ଟର ଆଦି ରହିଛନ୍ତି। ଆଜି ସିଏମ୍ସି ତରଫରୁ ୧୦ଟି ୱାର୍ଡ ଯଥା; ୱାର୍ଡ ନମ୍ବର୨, ୫, ୭, ୯, ୧୨, ୧୪, ୧୬, ୧୮, ୨୦ ଓ ୨୩ରେ ଏହା କରାଯାଇଛି। ଏହାସହିତ ବକ୍ସିବଜାର ପୁଲିସ ପଡ଼ିଆରେ ମଧ୍ୟ କ୍ୟାମ୍ପ୍ କରାଯାଇ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଆସନ୍ତାକାଲି ୧୦ଟି ୱାର୍ଡରେ ଏହା କରାଯିବାର କାର୍ଯ୍ୟକ୍ରମ ରହିଛି। ସେଗୁଡ଼ିକ ମଧ୍ୟରେ ୱାର୍ଡ ନମ୍ବର ୨୫, ୨୮, ୩୦, ୩୨, ୩୪, ୩୮, ୪୦, ୪୨, ୪୫ ଓ ୪୭ ରହିଛି। ସକାଳ ୮ରୁ ସଂଧ୍ୟା ୫ଟା ମଧ୍ୟରେ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ୱାର୍ଡଗୁଡିକର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ୱାର୍ଡ ଅଫିସର ଓ ସାନିଟାରି ଇନ୍ସ୍ପେକ୍ଟର ପୂର୍ବରୁ ସ୍ଥାନ ଚିହ୍ନଟ କରିବା ସହିତ ମନୋନୀତ ପରିବାର ଓ ଲୋକଙ୍କୁ କହିବାକୁ କୁହାଯାଇଛି।
ମହାନଗର ନିଗମର ୱାର୍ଡର ଲୋକସଂଖ୍ୟା ଓ ସାହିର ପରିବାରର ସଂଖ୍ୟା ଦେଖି ରକ୍ତ ନମୁନା ସଂଗ୍ରହ କରାଯିବ। ଯେଉଁ ୱାର୍ଡରେ ଅଧିକ ଲୋକ ଥିବେ ସେଠାରେ ୫ଟି ପରିବାରରୁ ଗୋଟିଏ ପରିବାରର ଜଣେ ସଦସ୍ୟଙ୍କ ନମୁନା ନିଆଯିବ। ସେହିପରି ସାହିର ପରିବାର ସଂଖ୍ୟା ଦେଖି ୩ଟି ପରିବାର ଭିତରୁ ଗୋଟିଏ ପରିବାରର ଜଣେ ସଦସ୍ୟଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ରକ୍ତ ପରୀକ୍ଷା ପାଇଁ ନିଆଯିବ। ଗର୍ଭବତୀ ମହିଳାଙ୍କୁ ସେରୋ ସର୍ଭେରୁ ବାଦ ଦିଆଯାଇଛି। ସିଏମସିରେ ୫ ତାରିଖ ସୁଦ୍ଧା ସେରୋ ସର୍ଭେ ଶେଷ ହେବ ଓ ୧୦ ତାରିଖ ମଧ୍ୟରେ ଆର୍ଏମ୍ଆର୍ସି ଏହାର ରିପୋର୍ଟ ଦେବ ବୋଲି ସିଏମସି କମିସନର ଅନନ୍ୟା ଦାଶ ସୂଚନା ଦେଇଛନ୍ତି।
The post କଟକରେ ଆରମ୍ଭ ହେଲା ସେରୋ ସର୍ଭେ : ପ୍ରଥମ ଦିନ ୬ଶହ ନମୁନା ସଂଗ୍ରହ, ୧୦ ସୁଦ୍ଧା ଆସିବ ରିପୋର୍ଟ first appeared on Sambad.
from କରୋନା – Sambad https://ift.tt/3oPY6T8
0 Comments