ଭୁବନେଶ୍ୱର : କରୋନା ଟିକା ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ। ଟିକା ଉପଲବ୍ଧ ହେଲେ ପ୍ରାଥମିକ ପର୍ଯ୍ୟାୟରେ କେଉଁମାନଙ୍କୁ ଟିକା ଦିଆଯିବ ଓ ଟିକାର ସଂରକ୍ଷଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ନିର୍ଦେଶାବଳୀର ସବୁ ମାନଦଣ୍ଡକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। କେନ୍ଦ୍ର କ୍ୟାବିନେଟ୍‌ ସଚିବx ରାଜୀବ ଗୌବାଙ୍କ ଦ୍ବାରା ରାଜ୍ୟଗୁଡ଼ିକରେ କୋଭିଡ୍‌ ପ୍ରସ୍ତୁତି ନେଇ ହୋଇଥିବା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଟିକାକରଣକୁ ‌ଲୋକଙ୍କ ଅଭିଯାନରେ ପରିଣତ କରିବା ଲାଗି ତୃଣମୂଳସ୍ତରରେ ସ୍ଥାନୀୟ ନେତୃମଣ୍ଡଳୀ ଓ ପଞ୍ଚାୟତିରାଜ ବିଭାଗର ପ୍ରତିନିଧିମାନଙ୍କୁ ସାମିଲ କରାଯିବାକୁ ଯୋଜନା କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଟିକାକରଣ ନେଇ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ରାଜ୍ୟ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ଦୁଇ କମିଟିର ବୈଠକ ଅନୁଷ୍ଠିତ ହୋଇସାରିଛି। ଏହାସହ ଜିଲ୍ଲାପାଳମାନଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟିର ବୈଠକ ଶେଷ ହୋଇଥିବା ବେଳେ ବିଡିଓଙ୍କ ନେତୃତ୍ବରେ ବ୍ଲକ୍‌ସ୍ତରୀୟ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି।

ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା କହିଲେ, ଲଜିଷ୍ଟିକ୍ ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ ସ୍ତରରେ କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି। ରାଜ୍ୟ ସରକାର ଏନ୍‌ଜିଓ, ଏନ୍‌ସିସି ଓ ସିଭିଲ ସୋସାଇଟିଙ୍କ ସହିତ ସହଯୋଗରେ ଅଛନ୍ତି। ଟିକାକୁ ନେଇ ଯେପରି ଲୋକମାନଙ୍କ ମଧ୍ୟରେ ଗୁଜବ ସୃଷ୍ଟି ନ ହେବ ତାହାକୁ ଗୁରୁତ୍ବ ଦିଆଯାଇଛି।

ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ୩.୨ଲକ୍ଷ ସ୍ବାସ୍ଥ୍ୟକର୍ମୀ/ଆଗଧାଡ଼ିର କର୍ମୀଙ୍କୁ ଏଥିପାଇଁ ଚିହ୍ନଟ କରାଯାଇଛି। ଟିକା ଦେବା ଲାଗି ୮୩ଶହ ଟିକା ପ୍ରଦାନକାରୀ ଓ ୩୦ହଜାର ଟିକାକରଣ ସ୍ଥାନକୁ ଚିହ୍ନଟ କରାଯାଇଛି। ତେବେ ଜିଲ୍ଲାରେ ଟିକା ଯେପରି ବିନା କୌଣସି ବାଧାରେ ପହଞ୍ଚିବ ସେଥିପାଇଁ ଇନ୍‌ସୁଲେଟେଡ ଟିକା ଭ୍ୟାନ୍ କିଣିବା ଲାଗି ଯୋଜନା କରାଯାଇଛି।

ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

The post କରୋନା ଟିକା ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ, ଟିକା ପହଞ୍ଚାଇବା ଲାଗି ଆସିବ ଇନ୍‌ସୁଲେଟେଡ୍‌ ଟିକା ଭ୍ୟାନ୍ first appeared on Sambad.



from କରୋନା – Sambad https://ift.tt/3moMVzr