ନୂଆଦିଲ୍ଲୀ : ଆମେରିକାର ଔଷଧ ନିର୍ମାତା କମ୍ପାନି ମଡର୍ଣ୍ଣା ଦାବି କରିଛି ଯେ ଏହା ଦ୍ବାରା ପ୍ରସ୍ତୁତ କରୋନା ଟିକା ୯୪.୪ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ମଡର୍ଣ୍ଣାର ଏହି ଦାବି ସହିତ ଖୁବ୍‌ଶୀଘ୍ର ବିଶ୍ବରେ ଏହି ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି । ଏହା ପୂର୍ବରୁ ଆମେରିକାର ଆଉ ଏକ ଔଷଧ ନିର୍ମାତା କମ୍ପାନି ଫାଇଜର ମଧ୍ୟ ନିଜର ପ୍ରସ୍ତୁତ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଥିଲା। ମଡର୍ଣ୍ଣା, ଫାଇଜର ସହିତ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା ଟିକା ମଧ୍ୟ ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଛି। ଭାରତରେ ସିରମ, ଭାରତ ବାୟୋଟେକ ସହିତ ଅନେକ ସଂସ୍ଥା ଟିକା ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି।

ମଡର୍ଣ୍ଣା ଆଜି ଘୋଷଣା କରିଛି ଯେ ଏହାର ଟିକା କରୋନା ଭୂତାଣୁକୁ ନଷ୍ଟ କରିବାରେ ୯୪.୫ ପ୍ରତିଶତ ସଫଳ ସାବ୍ୟସ୍ତ ହୋଇଛି। ମଡର୍ଣ୍ଣା ପ୍ରାୟ ୩୦ ହଜାର ସ୍ବେଚ୍ଛାସେବୀଙ୍କଠାରେ ଏହି ଟିକାର ନୈଦାନିକ ପରୀକ୍ଷଣ କରାଇଛି। ଅନ୍ୟପକ୍ଷରେ ୯୦ ପ୍ରତିଶତ ସଫଳତା ଦାବି କରିଥିବା ଫାଇଜର କମ୍ପାନି ୪୩ ହଜାର ସ୍ବେଚ୍ଛାସେବୀଙ୍କଠାରେ ଏହି ଟିକା ପ୍ରୟୋଗ କରିଛି। ଫାଇଜର ଆସନ୍ତା ଏପ୍ରିଲ ସୁଦ୍ଧା ବିଶ୍ବରେ ୩୦ କୋଟି ଟିକା ଉପଲବ୍ଧ କରାଇବ ବୋଲି ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଭାରତର ସ୍ବଦେଶୀ କୋଭିଡ୍‌-୧୯ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆଜିଠାରୁ ଆରମ୍ଭ ହୋଇଛି। ହାଇଦ୍ରାବାଦର ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ସ୍ବେଚ୍ଛାସେବୀଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି।

ଭାରତରେ ସିରମ୍‌ ସଂସ୍ଥା ଅକ୍ସଫୋର୍ଡ ଅଷ୍ଟ୍ରାଜେନେକା ଟିକାର ପ୍ରସ୍ତୁତି ଜୋର୍‌ସୋରରେ ଚଳାଇଥିବା ବେଳେ କେନ୍ଦ୍ର ସରକାର ଟିକା ବିତରଣ ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଟିକା ଯଥେଷ୍ଟ ନୁହେଁ: ‘ହୁ’ ମୁଖ୍ୟ
ନୂଆଦିଲ୍ଲୀ : କରୋନା ମହାମାରୀ ମୁକାବିଲା ପାଇଁ ଏବେ ଯେଉଁସବୁ ଟିକା ପ୍ରସ୍ତୁତ କରାଯାଉଛି ତାହା ଯଥେଷ୍ଟ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଆଧ୍‌ନମ ଗେବ୍ରିୟେସସ୍‌ କହିଛନ୍ତି। କେବଳ ଟିକା ଦ୍ବାରା କରୋନାକୁ ଶେଷ କରିହେବ ନାହିଁ ବୋଲି ସେ କହିଛନ୍ତି। ବିଶ୍ବବ୍ୟାପୀ ୫୪ ନିୟୁତ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ସ୍ବାସ୍ଥ୍ୟକର୍ମୀ ଏବଂ ବୟସ୍କଙ୍କ କ୍ଷେତ୍ରରେ କରୋନା ଭୂତାଣୁ ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଏ ଦିଗରେ ବ୍ୟାପକ ସତର୍କତା ଜରୁରୀ ଏବଂ ପ୍ରତ୍ୟେକ ରାଷ୍ଟ୍ର କରୋନା ମୁକାବିଲା ପାଇଁ ନିଷ୍ଠାର ସହ କାମ କରିବା ଆବଶ୍ୟକ ବୋଲି ‘ହୁ’ ମୁଖ୍ୟ କହିଛନ୍ତି।

The post କୋଭିଡ୍‌ ଟିକା ନେଇ ଆଶା ଜାଗିଲା first appeared on Sambad.



from କରୋନା – Sambad https://ift.tt/2UzqRFW