
ନୂଆଦିଲ୍ଲୀ : ସମଗ୍ର ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ୧୦ଟି ରାଜ୍ୟର ଦୈନିକ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ କିଛି ସପ୍ତାହ ଧରି ଭାରତରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିଆଣା, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପ୍ରମୁଖ ୧୦ଟି ରାଜ୍ୟର ଦୈନିକ ସଂକ୍ରମଣ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନାର ତୃତୀୟ ଲହରୀ ଚାଲିଛି। ଏଣୁ ଦିଲ୍ଲୀର ଦୈନିକ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଗତକାଲି ଦିଲ୍ଲୀର ଦୈନିକ ସଂକ୍ରମଣ ୭,୩୪୦ ଥିଲାବେଳେ ମୋଟ ସଂକ୍ରମଣ ୪.୮୨ ଲକ୍ଷ ରହିଛି। ଦିଲ୍ଲୀରେ ମୋଟ ୭,୫୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଗତକାଲି ୯୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଗତ ବୁଧବାର ଦିଲ୍ଲୀର ଦୈନିକ ସଂକ୍ରମଣ ୮,୫୯୩ ଥିଲାବେଳେ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୫ ମାସ ମଧ୍ୟରେ ଏହା ସର୍ବାଧିକ ରେକର୍ଡ ବୋଲି କୁହାଯାଉଛି। ଦିଲ୍ଲୀ ପରେ କେରଳର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି। ଗତକାଲି କେରଳର ଦୈନିକ ସଂକ୍ରମଣ ୬,୩୫୭ ଥିଲାବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। କେରଳରେ ମୋଟ ୫.୨୦ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୧,୮୪୮ ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିଭଳି ମହାରାଷ୍ଟ୍ରରେ କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଗତକାଲି ମହାରାଷ୍ଟ୍ରର ଦୈନିକ ସଂକ୍ରମଣ ୪,୨୩୭ ଥିଲାବେଳେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଦେଶର ସର୍ବାଧିକ ୧୭,୪୪,୬୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୫,୯୧୪ ଜଣଙ୍କର ମୃତ୍ୟୁ ହୋଇଛି।
ପଶ୍ଚିମବଙ୍ଗରେ ଗତକାଲିର ଦୈନିକ ସଂକ୍ରମଣ ୩,୮୨୩ ଥିଲାବେଳେ ମୋଟ ୪,୨୮,୪୯୮ ସଂକ୍ରମିତ ହୋଇଛନ୍ତି। ରାଜସ୍ଥାନରେ ଗତକାଲିର ଦୈନିକ ସଂକ୍ରମଣ ୨,୧୬୨, କର୍ଣ୍ଣାଟକର ୨,୧୫୪, ତାମିଲନାଡୁର ୧,୯୧୨, ଆନ୍ଧ୍ରପ୍ରଦେଶର ୧,୬୫୭ ରହିଛି। ଏହି ୧୦ଟି ରାଜ୍ୟର ଦୈନିକ ସଂକ୍ରମଣ ସର୍ବାଧିକ ରହୁଥିବାରୁ ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି ବୋଲି ସନ୍ଦେହ କରାଯାଉଛି।
The post ୧୦ ରାଜ୍ୟର ଦୈନିକ କରୋନା ସଂକ୍ରମଣ ଚିନ୍ତାଜନକ first appeared on Sambad.
from କରୋନା – Sambad https://ift.tt/2IHZ7MR
0 Comments