ଭୁବନେଶ୍ୱର : କରୋନା ସଂକ୍ରମଣରେ ରାଜ୍ୟ ଭଳି ସମାନ ସ୍ଥିତି ରହିଛି ରାଜଧାନୀରେ। ଭୁବନେଶ୍ବରରେ କରୋନା ସଂକ୍ରମଣ ଯଥେଷ୍ଟ ଭାବେ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଜଣ କରୋନା ରୋଗୀ ପ୍ରାଣ ହରାଇବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୩କୁ ବୃଦ୍ଧି ପାଇଛି। ଯାହାକି ରାଜ୍ୟର ସମୁଦାୟ ମୃତ୍ୟୁର ପ୍ରାୟ ୧୩ ପ୍ରତିଶତ।

ଦିନକରେ ରାଜଧାନୀରେ ୭୦ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୫୦ଜଣ ଲୋକାଲ କଣ୍ଟାକ୍ଟସ୍‌ ଅଛନ୍ତି। ଲଗାତାର ଭାବେ ଭୁବନେଶ୍ବରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଶହେ ସଂଖ୍ୟା ତଳେ ରହିଛି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଭୁବନେଶ୍ବରରେ ୨୯,୭୭୪କୁ ବୃଦ୍ଧି ପାଇଛି। ତେବେ ଗତ ୨୪ ଘଣ୍ଟାରେ ୯୦ ଜଣ କରୋନା ରୋଗୀ ସୁସ୍ଥ‌ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮,୭୬୦କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଏବେ ୮୧୦ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

କରୋନାରୁ ସୁସ୍ଥ ହେଲେ ୯୨ ବର୍ଷର ବୃଦ୍ଧା
ଭୁବନେଶ୍ବର : କରୋନାକୁ ହରାଇଛନ୍ତି ୯୨ବର୍ଷର ବୃଦ୍ଧା। ବରମୁଣ୍ଡା ଅଞ୍ଚଳର ସରୋଜିନୀ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇ ସମ୍ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବା ସହିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସରୋଜିନୀଙ୍କୁ କିଛି ଦିନ ହେବ ଥଣ୍ଡା, ଜ୍ବର ଓ କାଶ ଲାଗି ରହିଥିଲା। କୋଭିଡ୍‌ ପରୀକ୍ଷାରୁ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଥିଲା। ମଧୁମେହ ରୋଗ ଥିବା ବେଳେ ତାଙ୍କୁ ସୁସ୍ଥ କରିବା ‌‌ପାଇଁ ସମ୍ କୋଭିଡ୍‌ ଟିମ୍ ସବୁ ପ୍ରଚେଷ୍ଟା କରିଥିଲା। ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସମ୍ କୋଭିଡ୍‌ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

The post ରାଜଧାନୀରେ ଦିନକରେ ୭୦ ରୋଗୀ ଚିହ୍ନଟ; କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/3n0KnHA