ନୂଆଦିଲ୍ଲୀ : ରୁଷିଆର ଗମାଲେଇ ପ୍ରତିଷ୍ଠାନ ଦ୍ବାରା ବିକଶିତ କୋଭିଡ୍‌ ଟିକା ‘ସ୍ପୁଟନିକ୍‌-ଭି’ର ଫଳପ୍ରଦତା ପରଖିବା ପାଇଁ ଭାରତରେ ନୈଦାନିକ ପରୀକ୍ଷଣ ନିମନ୍ତେ ଦେଶର ଅନ୍ୟତମ ଭେଷଜ କମ୍ପାନି ଡ. ରେଡି’ସ ଲାବୋରାଟରି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା(ସିଡିଏସ୍‌ସିଓ) ସବୁଜ ସଂକେତ ଦେଇଛନ୍ତି। ତେବେ ଚୂଡ଼ାନ୍ତ ତଥା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ପ୍ରଥମେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୦୦ ଜଣ ସୁସ୍ଥ ଭାରତୀୟ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ଫଳାଫଳ ନିର୍ଣ୍ଣୟ କରିବା ପାଇଁ ସିଡିଏସ୍‌ସିଓ ଗୁରୁବାର ନିର୍ଦ୍ଦେଶ କରିଛନ୍ତି। ଏଥି ସହିତ ପରୀକ୍ଷଣ କେବେ ଆରମ୍ଭ ହେବ ତାହା କମ୍ପାନି ଉପରେ ଛାଡ଼ିଦେଇଛନ୍ତି।

ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣରେ ଡ. ରେଡି’ସ ଲାବୋରାଟରି ୧୪୦୦ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛି। ତେବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳକୁ ବିଶ୍ଳେଷଣ କଲା ପରେ ହିଁ ଚୂଡ଼ାନ୍ତ ପର୍ଯ୍ୟାୟ କଥା ଉଠିବ ବୋଲି ସିଡିଏସ୍‌ସିଓର ଜଣେ ଅଧିକାରୀ କହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ରୁଷିଆରେ ‘ସ୍ପୁଟନିକ୍‌-ଭି’ର ଚୂଡ଼ାନ୍ତ ବା ବ୍ୟାପକ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ହୋଇନଥିବା ବେଳେ କେବଳ ଖୁବ୍‌ ଅଳ୍ପ ସଂଖ୍ୟକ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳକୁ ଭିତ୍ତି କରି ଗତ ଅଗଷ୍ଟ ୧୧ ତାରିଖରେ ଏହାକୁ ବିଶ୍ବର ପ୍ରଥମ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଘୋଷଣା କରାଯାଇଛି। ତେବେ ଭାରତରେ ଏହାର ଚୂଡ଼ାନ୍ତ ପରୀକ୍ଷଣ ପାଇଁ ଡ. ରେଡି’ସ ଲାବୋରାଟରି ପକ୍ଷରୁ ପ୍ରଥମେ ଦିଆଯାଇଥିବା ପ୍ରସ୍ତାବକୁ ସିଡିଏସ୍‌ସିଓ ମନା କରିଦେବା ସହ ପ୍ରଥମେ ଅଳ୍ପ ସଂଖ୍ୟକ ସ୍ବେଚ୍ଛାସେବୀଙ୍କଠାରେ ଏହି ଟିକା ପ୍ରୟୋଗ କରି ଏହାର ନିରାପତ୍ତା ଓ ଗୁଣବତ୍ତା ପରୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଥିଲା। ପରେ କମ୍ପାନି ସଂଶୋଧିତ ପ୍ରସ୍ତାବରେ ଉଭୟ ପର୍ଯ୍ୟାୟ ପରୀକ୍ଷଣ କରିବା ଲାଗି କରିଥିବା ଆବେଦନ ଉପରେ ସିଡିଏସ୍‌ସିଓ ଅନୁମତି ଦେଇଛନ୍ତି।

The post ‘ସ୍ପୁଟନିକ୍‌-ଭି’ରେ ସାମିଲ ହେବେ ୧୦୦ ଭାରତୀୟ first appeared on Sambad.



from କରୋନା – Sambad https://ift.tt/31CiuNT