
ବାଲିଅନ୍ତା : ବାଳକାଟିସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଆଜି ପୁଣି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ବରିଷ୍ଠ ନାଗରିକ ଓ ଅନ୍ୟ ଜଣକ ନାବାଳକ ବୋଲି ଜଣାପଡ଼ିଛି। ବରିଷ୍ଠ ନାଗରିକ ଜଣକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେ ସୁସ୍ଥ ହେବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ ଓ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଆକ୍ରାନ୍ତ ନାବାଳକ ଜଣକ ଗୁରୁତର ଥିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ତା’ର ମୃତ୍ୟୁ ହୋଇଯାଇଥିଲା। ସୂଚନାନୁସାରେ ଏବେ ବି ଏଠାରେ ୮ ଜଣ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରେ ରଖାଯାଇଛି। ତେବେ ଏଠାରେ ପ୍ରତିଦିନ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି।
କୋଭିଡ ଯୋଦ୍ଧାଙ୍କୁ ଗାର୍ଡ ଅଫ୍ ଅନର
ଭୁବନେଶ୍ବର : କୋଭିଡ୍ ଯୋଦ୍ଧା ତଥା ପିସିଆର ଡ୍ୟୁଟି କରୁଥିବା ଏସ୍ପିଓ (ସ୍ପେସାଲ ପୁଲିସ ଅଫିସର) ଲକ୍ଷ୍ମୀ ନାରାୟଣ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଜି ହାଇଟେକ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେବା ପରେ ସତ୍ୟନଗର ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହା ପୂର୍ବରୁ ତାଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ‘ଗାର୍ଡ ଅଫ୍ ଅନର’ ଦିଆଯାଇଛି। ଡିସିପି ଉମାଶଙ୍କର ଦାଶଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୨୦୧୬ ମସିହାରେ ସେ ଏସ୍ଆଇ ଭାବରେ ଅବସର ନେବା ପରେ ୨୦୧୭ ମସିହାରେ ପୁନର୍ବାର ଏସ୍ପିଓ ଭାବରେ କମିସନରେଟ୍ ପୁଲିସରେ ଯୋଗ ଦେଇଥିଲେ। ତାଙ୍କୁ ପିସିଆର ଡ୍ୟୁଟି ମିଳିଥିଲା। ଆସନ୍ତା ଜାନୁଆରି ମାସରେ ସେ ଅବସର ନେଇଥାନ୍ତେ। ନୂଆପଲ୍ଲୀ ଆଇଆରସି ଭିଲେଜ୍ରେ ସରକାରୀ କ୍ବାର୍ଟରରେ ସେ ରହୁଥିବା ବେଳେ କାକଟପୁରର ସେ ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି।
from କରୋନା – Sambad https://ift.tt/2Gk3kp3
0 Comments