ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲାରେ ଆଜି ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍‌ ରହିଛି। ପ୍ରାୟ ୩ ମାସ ପରେ ଦେଶର ଦୈନିକ ସଂକ୍ରମଣ ୫୦ ହଜାରରୁ କମ୍‌ ରହିଥିବାରୁ ଏହା ଏକ ବଡ଼ ଆଶ୍ବସ୍ତି ହୋଇଛି। ଆଜି ସକାଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରଦାନ କରିଥିବା ତଥ୍ୟ ମୁତାବକ ଦେଶରେ ୨୪ ଘଣ୍ଟାରେ ୪୬ ହଜାର ୭୯୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୮୭ ଜଣଙ୍କ ମୃତ୍ୟୁ ‌ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୭୫ ଲକ୍ଷ ୯୭ ହଜାର ୬୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯୭ରେ ପହଞ୍ଚିଛି। ଲଗାତାର ଦ୍ବିତୀୟ ଦିନ ଧରି ଦେଶରେ କୋଭିଡ୍‌ ମୃତ୍ୟୁ ୫୦୦ରୁ କମ୍‌ ରହିଛି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୬୭ ଲକ୍ଷ ଟପିଯାଇଛି। ଅନ୍ୟପକ୍ଷେ ଲଗାତାର ୪ ଦିନ ଧରି ସକ୍ରିୟ ମାମଲା ୮ ଲକ୍ଷରୁ କମ୍‌ ରହିଛି।

କରୋନା ଟେଷ୍ଟିଂରେ ମଧ୍ୟ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ବିଗତ ୭ ଦିନରେ ପ୍ରତି ୧୦ ଲକ୍ଷରେ ୩୧୦ ମାମଲା ଚିହ୍ନଟ ହୋଇଥିଲା। ଏହା ସବୁଠୁ କମ୍‌ ସଂକ୍ରମଣ ମାମଲା। ସେହିପରି ଗତ ୭ ଦିନରେ ଭାରତରେ କରୋନା ମୃତ୍ୟୁ ପ୍ରତି ୧୦ ଲକ୍ଷରେ ୮୩ ରହିଛି। ୮୪ ଦିନପରେ ଦେଶର ଦୈନିକ ସଂକ୍ରମଣ ମାମଲା ୫୦ ହଜାରରୁ କମ୍‌ ରହିଛି। କୋଭିଡ୍‌ ମୃତ୍ୟୁହାର ୧.୫୨ ପ୍ରତିଶତ ରହିଛି। ‌ ୬ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଦେଶର ମୋଟ୍‌ ସକ୍ରିୟ ମାମଲାର ୬୪ ପ୍ରତିଶତ ଚିହ୍ନଟ ହୋଇଛି।

ନୂଆଦିଲ୍ଲୀ: ଦେଶରେ ୫ଟି ସର୍ବାଧିକ ପ୍ରଭାବିତ ରାଜ୍ୟରେ ସକ୍ରିୟ ମାମଲା କମୁଛି। ଗତ ଗୋଟିଏ ମାସ ଧରି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାମଲା କମ୍‌ ରହିଛି। ଉପରୋକ୍ତ ୫ ରାଜ୍ୟରେ ସକ୍ରିୟ ମାମଲା କମିବାଦ୍ବାରା ଲଗାତାର ୩ ଦିନ ଧରି ‌ଦେଶରେ ସକ୍ରିୟ ମାମଲା ୮ ଲକ୍ଷରୁ କମ୍‌ ରହିଛି। ଦେଶରେ କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଗତକାଲି ସଂକ୍ରମଣ ସଂଖ୍ୟା ୧୬ ଲକ୍ଷ ଟପିଯାଇଥିଲା। ତେବେ ଜୁଲାଇ ୭ ପରେ ମହାରାଷ୍ଟ୍ରରେ ଗତକାଲି ସବୁଠୁ କମ୍ ସଂକ୍ରମଣ ତଥା ୫,୯୮୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ସେହିପରି କର୍ଣ୍ଣାଟକ, କେରଳରେ ଗତକାଲି ୫ ହଜାରରୁ ଅଧିକ ନୂଆ ମାମଲା ଥିବାବେଳେ ତାମିଲନାଡ଼ୁରେ ୩,୫୩୬ ନୂଆ ସଂକ୍ରମଣ ମାମଲା ରହିଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶରୁ ଗତକାଲି ୨ ହଜାର ୯୧୮ ନୂଆ ମାମଲା ଚିହ୍ନଟ ହୋଇଛି।

The post ୩ ମାସରେ ପ୍ରଥମ, ଦୈନିକ ସଂକ୍ରମଣ ୫୦ ହଜାରରୁ କମ୍‌ first appeared on Sambad.



from କରୋନା – Sambad https://ift.tt/3kkfqwU