ନୂଆଦିଲ୍ଲୀ: ସ୍ବାସ୍ଥ୍ୟସେବା ଯୋଗାଉଥିବା ପ୍ରତିଷ୍ଠାନମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ହେବାର ଆଶଙ୍କା ନ ଥିଲେ କୋଭିଡ୍‌-୧୯ ବିସ୍ତାର ଦମନ ଲାଗି ଜିଲ୍ଲା କିଂବା ରାଜ୍ୟସ୍ତରରେ ଆଉ ଲକ୍‌ଡାଉନ୍ ଜାରି କରାଯିବା ଅନୁଚିତ ବୋଲି ‘ଆଇଆଇଟି- ହାଇଦ୍ରାବାଦ’ର ପ୍ରଫେସର୍‌ ଏମ୍ ବିଦ୍ୟାସାଗରଙ୍କ ଅଧ୍ୟକ୍ଷତାରେ ଏକ ସରକାରୀ ନିଯୁକ୍ତ କମିଟି କହିଛି।

ସବୁ ନିୟମ ପାଳନ କରାଗଲେ ଆସନ୍ତାବର୍ଷ ପ୍ରାରମ୍ଭ ବେଳକୁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଏହି କମିଟି ଦାବି କରିଛି। ନିୟମ ପାଳନ କରାଗଲେ ଫେବ୍ରୁଆରି ମାସ ଶେଷ ବେ‌ଳକୁ ଖୁବ୍ ସ୍ବଳ୍ପସଂଖ୍ୟକ ଲକ୍ଷଣଯୁକ୍ତ ସକ୍ରିୟ ସଂକ୍ରମଣ ରହିଥିବ ବୋଲି ଏହି କମିଟି ଆକଳନ କରିଛି।

‘ପ୍ରୋଗ୍ରେସନ୍ ଅଫ୍ ଦି କୋଭିଡ୍‌-୧୯ ପାଣ୍ଡେମିକ୍ ଇନ୍‌ ଇଣ୍ଡିଆ: ପ୍ରୋଗ୍ନୋସିସ୍ ଆଣ୍ଡ୍‌ ଲକ୍‌ଡାଉନ୍‌ ଇମ୍ପାକ୍ଟସ୍’ ବିଷୟରେ ଅଧ୍ୟୟନ ପରିଚାଳନା କରୁଥିବା ୧୦ ସଦସ୍ୟବିଶିଷ୍ଟ ଏହି କମିଟି ଦର୍ଶାଇଛି ଯେ, ଲକ୍‌ଡାଉନ୍ ଘୋ‌ଷଣା ନ ହୋଇଥିଲେ ଭାରତରେ ଏହି ମହାମାରୀ ମାତ୍ରାଧିକ ବିସ୍ତାର କରିବା ସହ ଜୁନ୍‌ ସୁଦ୍ଧା ୧. ୪୦ କୋଟିରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଥାଆନ୍ତା।

Image Courtesy of The Economic Times

କୋଭିଡ୍‌-୧୯ ଅଗ୍ରଗତି ସମ୍ବନ୍ଧରେ ଏହି କମିଟି ଏକ ପ୍ରମାଣଭିତ୍ତିକ ଗାଣିତିକ ମଡେଲ୍‌ ପ୍ରସ୍ତୁତ କରିଥିଲା। ଲକ୍‌ଡାଉନ୍‌ ସମୟ, ପର୍ଯ୍ୟାୟକ୍ରମ ଲକ୍‌ଡାଉନ୍ ପରିସ୍ଥିତି, ଘରବାହୁଡ଼ା ପ୍ରବାସୀ ଶ୍ରମିକଙ୍କ ପ୍ରଭାବ, ସୁରକ୍ଷା ନିୟମ ପାଳନ ନ କରିବାର ପ୍ରଭାବ ସମେତ ମହାମାରୀର ଭବିଷ୍ୟତ ଧାରା ପ୍ରଭୃତି ମାନକକୁ ଜାତୀୟସ୍ତରୀୟ ‌ଏହି ସୁପର୍‌ ମଡେଲ୍‌ ଆଧାର କରିଥିଲା।

ତେଣୁ, ବିଦ୍ୟାସାଗର କହିଛନ୍ତି, ବ୍ୟକ୍ତିଗତ ସୁରକ୍ଷା ନିମନ୍ତେ ସମ୍ପ୍ରତି ଜାରି ହୋଇଥିବା ନିୟମାବଳୀ ପୂର୍ଣ୍ଣ ମାତ୍ରାରେ ଚାଲୁ ରହିବା ଆବଶ୍ୟକ। ନଚେତ୍ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଇବ।

ବୈଜ୍ଞାନିକମାନଙ୍କ ଛଡ଼ା ‘ଆଇଆଇଟି’ ଏବଂ ‘ଆଇଆଇସି’ର ପ୍ରଫେସର୍‌ଙ୍କୁ ସାମିଲ କରାଯାଇ ଗଠିତ ଏହି କମିଟି କହିଛି ଯେ, ଆଗାମୀ ଉତ୍ସବ ଏବଂ ଶୀତଋତୁ ସଂକ୍ରମଣ ବୃଦ୍ଧିର କାରଣ ‌ହୋଇପାରେ, କିନ୍ତୁ ଉପଯୁକ୍ତ ନିମୟ ପାଳନ କରି ସବୁପ୍ରକାର କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯାଇପାରେ।

The post ଆଞ୍ଚଳିକସ୍ତରରେ ଆଉ ଲକ୍‌ଡାଉନ୍ ଘୋଷଣା କରାଯିବା ଅନୁଚିତ: ସରକାରଙ୍କଦ୍ବାରା ନିଯୁକ୍ତ କମିଟି first appeared on Sambad.



from କରୋନା – Sambad https://ift.tt/2FE51NA