ଭୁବନେଶ୍ୱର : କରୋନା ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସା ସମସ୍ୟା ପାଲଟିଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ ଦୁର୍ଘଟଣାର ଶିକାର ହୋଇ ଆସିଥିବା ଜଣେ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଦେବା ପରିବର୍ତ୍ତେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପିସିଆର କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲା। ଦେହସାରା ରକ୍ତ ଜୁଡ଼ୁବୁଡ଼ୁ ହୋଇଥିଲେ ହେଁ‌ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରିବର୍ତ୍ତେ ତାଙ୍କର କୋଭିଡ ପରୀକ୍ଷା କରିବା ଲାଗି କୁହାଯାଇଥିଲା। ଏହାକୁ ନେଇ ତାଙ୍କ ସଂପର୍କୀୟ କ୍ଷୋଭ ପ୍ରକାଶ କରିଥିଲେ।

ଆହତଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାଙ୍କ କଥାକୁ ହସ୍ପିଟାଲରେ କେହି ଶୁଣି ନଥିଲେ। ହସ୍ପିଟାଲ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ତାଙ୍କର ଡ୍ରେସିଂ କରାଯାଇଥିଲା। ପରେ କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ଆହତଜଣକ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ କର୍ତୃପକ୍ଷଙ୍କ କହିବା କଥା, କରୋନା ସମୟରେ ରୋଗୀ ସେବା ବେଶ୍‌ କଷ୍ଟକର ହେଉଛି। କାଜୁଆଲ୍‌ଟିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପ୍ରାୟ ସମସ୍ତ ରୋଗୀଙ୍କ କୋ‌ଭିଡ୍‌ ପରୀକ୍ଷା କରାଯାଉଛି। ତେବେ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯିବା ପରେ ହିଁ ସେମାନଙ୍କ କରୋନା ପରୀକ୍ଷା ହେଉଥିବା କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ବାରଙ୍ଗ ବିଡିଓ ଓ ତହସିଲଦାର ପଜିଟିଭ୍‌
ତ୍ରିଶୁଳିଆ : ବାରଙ୍ଗ ତହସିଲଦାର ଓ ବାରଙ୍ଗ ବ୍ଲକ ବିଡିଓ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେମାନେ ଗୃହ ସଙ୍ଗରୋଧରେ ରହିଛନ୍ତି। ଏକ ବ୍ଲକର ଏହି ଦୁଇ ଆଗଧାଡ଼ିର କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହେବା ପରେ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। କର୍ମଚାରୀମାନେ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଦୁଇ ପ୍ରମୁଖ ଅଧିକାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ବ୍ଲକର ବହୁ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଥିବା କୁହାଯାଉଛି। ଗୃହ ସଙ୍ଗରୋଧରେ ଥାଇ ଏହି ଦୁଇ ଅଧିକାରୀ ପ୍ରାଶାସନିକ ଦାୟିତ୍ବ ନିର୍ବାହ କରୁଥିଲେ ବି ଜନସାଧାରଣଙ୍କ କିଛି କାର୍ଯ୍ୟ ରହିଯାଉଛି ବୋଲି କୁହାଯାଉଛି।

The post ଚିକିତ୍ସା ପୂର୍ବରୁ କୋଭିଡ୍‌ ପରୀକ୍ଷାକୁ ନେଇ ଅସନ୍ତୋଷ first appeared on Sambad.



from କରୋନା – Sambad https://ift.tt/3dk8AVJ