
ସମ୍ବଲପୁର : ଆମ୍ବୁଲାନ୍ସ ନ ମିଳିବାରୁ ପିପିଇ କିଟ୍ ପିନ୍ଧି ନିଜ କାର୍ରେ ବୁର୍ଲା ଜୁନାପାଣି କୁଷ୍ଠ କଲୋନିର ଜଣେ କରୋନା ରୋଗୀଙ୍କୁ ହସ୍ପିଟାଲ୍କୁ ନେଲେ ଡାକ୍ତର ଶଂକର ରାମଚନ୍ଦାନୀ। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନ୍ନତି ହେଉଥିବା ଦେଖି ରୋଗୀଙ୍କ ସମେତ ଡାକ୍ତର ରାମଚନ୍ଦାନୀ ଏକାଧିକ ବାର ୧୦୪କୁ ଫୋନ୍ କରି ଆମ୍ବୁଲାନ୍ସକୁ ପଠାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ନ ଆସିବାରୁ ତୁରନ୍ତ ଏକ ପିପିଇ କିଟ୍ ଆଣି ପିନ୍ଧି ଦିନ ପ୍ରାୟ ୧୧ଟା ବେଳେ ନିଜ କାର୍ରେ ଜୁନାପାଣି କଲୋନିର ୩୫ ବର୍ଷୀୟ ଆକ୍ରାନ୍ତ ଯୁବକଙ୍କୁ ବସାଇ ଭିମ୍ସାର୍ ଆଇସୋଲେନ୍ ୱାର୍ଡକୁ ନେଇଥିଲେ। ସେତିକି ବେଳକୁ ରୋଗୀଙ୍କ ଅମ୍ଳଜାନ ସ୍ତର ୭୬%କୁ ଖସି ଯାଇଥିଲା। ତୁରନ୍ତ ତାଙ୍କୁ ଭିମସାର୍ ଆଇସୋଲେସନ୍ ୱାର୍ଡରେ ଅମ୍ଳଜାନ ଦିଆଯିବା ସହ ଅନ୍ୟ ପ୍ରାଥମିକ ଉପଚାର କରା ଯାଇଥିଲା। ଏହାପରେ ଦିନ ୨ଟାରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ସେ ସୁସ୍ଥ ଥିବା ଜଣା ପଡ଼ିଛି। ସଂଧ୍ୟା ବେଳେ ତାଙ୍କ ଅକ୍ସିଜେନସ୍ତର ୯୧% ହୋଇଥିବା ଜଣା ପଡ଼ିଛି।

ସୂଚନାଯୋଗ୍ୟ, ସମାଜସେବା ପାଇଁ ଜଣାଶୁଣା ଡା. ରାମଚନ୍ଦାନୀ ଜୁନାପାଣି କୁଷ୍ଠ କଲୋନିବାସୀଙ୍କ ସ୍ୱାସ୍ଥ୍ୟ, ପିଲା ମାନଙ୍କ ଶିକ୍ଷା ଆଦି ବୁଝାବୁଝି କରନ୍ତି। ତେଣୁ ସେ ନିୟମିତ ସେଠାକୁ ଯାଆନ୍ତି। ୪ ଦିନ ତଳେ ସେ ସେଠାକୁ ଯାଇ କଲୋନିର ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଗୃହାବଦ୍ଧରେ ଥିବା ଉକ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ସେତେବେଳେ ଠିକ୍ଠାକ୍ ଥିଲା। କିନ୍ତୁ ଶୁକ୍ରବାର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ସେମାନେ ଡା. ରାମଚନ୍ଦାନୀଙ୍କୁ ଫୋନ୍ କରିଥିଲେ। ସେ ସେଠାରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରି ଅକ୍ସିଜେନ୍ସ୍ତର କମ୍ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆମ୍ବୁଲାନ୍ସ ନ ମିଳିବାରୁ ନିଜେ ଡାକ୍ତରଖାନାରେ ପହଞ୍ଚାଇବା ଦାୟିତ୍ୱ ମୁଣ୍ଡାଇ ଥିଲେ।
from କରୋନା – Sambad https://ift.tt/3lvXdNb
0 Comments