
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୬୫ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୮୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୯୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏବେ ମୋଟ୍ ସଂକ୍ରମଣ ୬୫ ଲକ୍ଷ ୪୯ ହଜାର ୩୭୩ରେ ପହଞ୍ଚିଛି। ସକ୍ରିୟ ମାମଲା ୯ ଲକ୍ଷ ୩୭ ହଜାର ୬୨୫ ରହିଛି। ମୋଟ୍ ୫୫ ଲକ୍ଷ ୯ ହଜାର ୭୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୧ ଲକ୍ଷ ୧ହଜାର ୭୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ପଂଜାବରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ତେବେ ଜାନୁଆରିରେ ଦେଶରେ ଗୋଟିଏ ନମୁନା ପରୀକ୍ଷା ହୋଇଥିବା ବେଳେ ଅକ୍ଟୋବରରେ ଏହା ୭.୭ କୋଟିରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ହାର ୮୪.୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ଅଧିକ ଥିଲେ ମଧ୍ୟ ଏଠାରେ ଆରୋଗ୍ୟ ସଂଖ୍ୟା ମଧ୍ୟ ଅଧିକ ରହିଛି। ଲଗାତାର ୧୩ ଦିନ ଧରି ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ୧୦ ଦିନ ମଧ୍ୟରେ କରୋନା ସଂକ୍ରମଣ ଚିହ୍ନଟ ପାଇଁ ହାରାହାରି ୧୧.୫ ଲକ୍ଷ ଟେଷ୍ଟ୍ କରାଯାଉଛି। ଦେଶରେ ଏବେ ଦୈନିକ ୧୫ ଲକ୍ଷ ଟେଷ୍ଟ୍ ମଧ୍ୟ କରାଯାଇପାରିବ।
କୋଭିଡ୍ ସଂକ୍ରମିତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୩୮%ରୁ ଅଧିକ ମହିଳା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୩୮ ପ୍ରତିଶତରୁ ଅଧିକ ମହିଳା ଅଟନ୍ତି। ଅକ୍ଟୋବର ୧ ସୁଦ୍ଧା ୭୯ ହଜାର ୭୭୨ ମହିଳା ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ତେବେ ମୋଟ୍ ୨୦.୨ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କର ଏଯାବତ୍ କରୋନା ଟେଷ୍ଟ୍ ହୋଇଥିବା କୁହାଯାଉଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ତେବେ ପୁରୁଷଙ୍କ ତୁଳନାରେ କମ୍ ମହିଳା ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ ମଧ୍ୟ ଭାରତରେ ଯଦି ମହିଳା-ପୁରୁଷ ସ୍ବାସ୍ଥ୍ୟକର୍ମୀ ସଂଖ୍ୟାକୁ ଆକଳନ କରାଯାଏ ତେବେ ଏହି ସଂଖ୍ୟାକୁ ଅତି ଗୁରୁତର ଭାବେ ଗ୍ରହଣ କରାଯିବ। ଦେଶରେ ନିର୍ଦ୍ଦିଷ୍ଟ ଭାବେ ମହିଳା ଡାକ୍ତରଙ୍କ ସଂଖ୍ୟା କମ୍। ଦେଶରେ ଥିବା ସମସ୍ତ ଏଲୋପାଥିକ୍ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୧୭ ପ୍ରତିଶତ ମହିଳା। ଦେଶରେ ମାତ୍ର ଏକ ତୃତୀୟାଂଶ ମହିଳା ସ୍ବାସ୍ଥ୍ୟକର୍ମୀ ଥିବାବେଳେ ସମଗ୍ର ବିଶ୍ବରେ ୭୦ ପ୍ରତିଶତ ମହିଳା ସ୍ବାସ୍ଥ୍ୟକର୍ମୀ ଅଛନ୍ତି। ତେବେ ସ୍ପେନ୍ରେ ୭୭ ପ୍ରତିଶତ ମହିଳା ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ବେଳେ ଇଟାଲିରେ ୭୦ ପ୍ରତିଶତ ଏବଂ ଜର୍ମାନୀରେ ୭୩ ପ୍ରତିଶତ ମହିଳା ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି।
from କରୋନା – Sambad https://ift.tt/30AjZeV
0 Comments