
ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଓ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସାଢ଼େ ୩ହଜାର ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୪୨ ରୋଗୀ ସୁସ୍ଥ ହେବା ପରେ ଏହି ସଂଖ୍ୟା ୩୨୭୨କୁ ଖସି ଆସିଛି। ଗତ ୨୪ଘଣ୍ଟାରେ ୨୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ସଙ୍ଗରୋଧରେ ୭୧ ଓ ୧୯୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୟୁନିଟ୍-୯, ବରମୁଣ୍ଡା, ଫରେଷ୍ଟ ପାର୍କ ଏରିଆ, ଭିଏସ୍ଏସ୍ ନଗର, ୟୁନିଟ୍-୭, ୟୁନିଟ୍-୮, ପ୍ରଶାନ୍ତି ବିହାର, ରେଣ୍ଟାଲ କଲୋନି, ଶୈଳଶ୍ରୀ ବିହାର, ଲିଙ୍ଗରାଜ ନଗର, ଝାରପଡ଼ା, ଜୟଦେବ ବିହାର, କଳ୍ପନା ଛକ, ବିଜେବି ନଗର, ଡମଣା ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ସହିଦ ନଗର, ପାତ୍ରପଡ଼ା, ପଟିଆ, ପଳାଶୁଣୀ, ୟୁନିଟ୍-୨, ମଞ୍ଚେଶ୍ବର, ଜଗନ୍ନାଥ ନଗର, ଭୀମପୁର, ଚକେଇସିଆଣି, ସିଆରପିଏଫ୍ କ୍ୟାମ୍ପସ୍, ମାଧବ ନଗର ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ବାହାରିଛନ୍ତି। ରାଜଧାନୀରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୬,୨୮୩କୁ ବୃଦ୍ଧି ପାଇଛି। ତହିଁରୁ ୨୨,୮୬୭ ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ରାଜଧାନୀରେ ଜଣେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ସଂପର୍କରେ ଘୋଷଣା ହୋଇଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୩କୁ ବୃଦ୍ଧି ପାଇଛି।
ଭ୍ରାମ୍ୟମାଣ କୋଭିଡ୍ ପରୀକ୍ଷା ୩୦୦୦ ଟପିଲା
ବାଲିଅନ୍ତା : ଧୀରେ ଧୀରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ଜଣାପଡ଼ିଛି। ଏହା ମଧ୍ୟରେ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ କରାଯାଇଥିବା ଭ୍ରାମ୍ୟମାଣ ପରୀକ୍ଷା କେନ୍ଦ୍ରରେ ୩୦୦୦ ଲୋକ କୋଭିଡ୍ ପରୀକ୍ଷା କରାଇଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଶହ ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏବେ ମାତ୍ର ୬୫ ଜଣ ଗୃହ ସଂଗରୋଧରେ ଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ବ୍ଲକରେ ଏଯାଏ ୨୨ ଜଣଙ୍କର କୋଭିଡ୍ ମୃତ୍ୟୁ ଘଟିଛି। ନିକଟରେ ବଇଁଚୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ସାହୁ(୪୫)ଙ୍କର କରୋନାରେ ଅକାଳ ବିୟୋଗ ଘଟିଛି।
The post ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସାଢ଼େ ୩ହଜାର ତଳକୁ ଖସିଲା first appeared on Sambad.
from କରୋନା – Sambad https://ift.tt/3lZUNqz
0 Comments