
କରୋନା ଭୂତାଣୁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ଲିଭର, ମସ୍ତିଷ୍କ, ହାର୍ଟ, କିଡ୍ନି ଓ ସ୍ନାୟୁକୋଷର କ୍ଷତି କରୁଛି। ପାକସ୍ଥଳି, ଚର୍ମ ଓ ଅନ୍ତନଳି ସଂକ୍ରାନ୍ତ ରୋଗ ସୃଷ୍ଟି କରୁଛି। କରୋନା ସବୁଠାରୁ ଅଧିକ କ୍ଷତି କରିଛି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରରେ। ସେଠାରେ ଥିବା କଲମ୍ବିଆ ୟୁନିଭର୍ସିଟି ଅର୍ଭିଙ୍ଗ ମେଡିକାଲ ସେଣ୍ଟରର ଏକ ସ୍ବତନ୍ତ୍ର ଟିମ୍ କରୋନା ପ୍ରକୋପ ଉପରେ ତର୍ଜମା କରିଥିଲେ। ସେଥିରୁ ଜଣା ପଡିଥିଲା ଯେ କରୋନା କେବଳ ଶ୍ବାସକ୍ରିୟା ସମସ୍ୟା ସୃଷ୍ଟି କରୁନାହିଁ, ପରବର୍ତ୍ତୀ ସମୟରେ ଶରୀରର ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରୁଛି। କରୋନା ଭୂତାଣୁ ଯୋଗୁଁ ଶରୀରର କିଛି ସ୍ଥାନରେ ରକ୍ତ ଜମାଟ ବାନ୍ଧୁଛି। ହାର୍ଟର ସ୍ବାଭାବିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି, ଯାହା ପରବର୍ତ୍ତୀ ସମୟରେ ହୃଦ୍ଘାତ ସମସ୍ୟା ଆଣିବାର ଆଶଙ୍କା ସୃଷ୍ଟି କରୁଛି। କିଡ୍ନିରୁ ରକ୍ତ ଓ ପ୍ରୋଟିନ କ୍ଷରଣ ହେଉଛି। ଚର୍ମ ଲାଲ ପଡ଼ିଯିବା ସହ କୁଣ୍ଡାଇ ହେଉଛି। ମୁଣ୍ଡବିନ୍ଧା, ଥକାପଣ, ମାଂସପେଶୀରେ ଘୋଳାବିନ୍ଧା, ପେଟବ୍ୟଥା ସମସ୍ୟା ବି ସୃଷ୍ଟି ହେଉଛି। କରୋନାରୁ ମୁକୁଳିବା ପରେ ବି ଜ୍ବର ଓ କାଶ ଆଦି ନିୟମିତ ବ୍ୟବଧାନରେ ଦେଖା ଦେଉଛି।
କଲମ୍ବିଆରେ କାର୍ଡିଓଲୋଜି ବିଭାଗର ଡାକ୍ତର ଆକୃତି ଗୁପ୍ତା କହିଛନ୍ତି ଯେ କୋଭିଡ-୧୯ କେବଳ ଏକ ଶ୍ବାସକ୍ରିୟା ଜନିତ ରୋଗ ହୋଇ ରହିନାହିଁ। ଏହା ଏକ ବହୁ ସମସ୍ୟା ସୃଷ୍ଟିକାରୀ ରୋଗ। ଗବେଷକମାନେ ଦର୍ଶାଇଛନ୍ତି ଯେ ଶରୀରକୁ କରୋନା ଆକ୍ରାନ୍ତ କରିବା ପରେ ଏହା କୋଷଗୁଡ଼ିକରେ ଏକ ପ୍ରକାର ଆଣବିକ ଦ୍ବାର (ମଲିକ୍ୟୁଲାର ଡୋରୱେ ବା ଏସିଇ-୨) ସହ ନିକଟତର ହୋଇଥାନ୍ତି। ଶିରା ପ୍ରଶିରାକୁ ଲାଗି କରି ଥିବା କୋଷ, କିଡ୍ନି, ଯକୃତ, ଅଗ୍ନାଶୟ, ଅନ୍ତନଳୀ, ଶ୍ବାସନଳି ଆଦିରେ ଏସିଇ୨ ରିସେପ୍ଟର ଆଚ୍ଛାଦିତ ହୋଇଯାଏ। ଏହାଦ୍ବାରା କରୋନା ଭୂତାଣୁ କୋଷଗୁଡ଼ିକୁ ସଂକ୍ରମିତ କରିବା ଆଶଙ୍କା ବୃଦ୍ଧିପାଏ। ନେଚର ମେଡିସିନ ନାମକ ଏକ ପତ୍ରିକାରେ କଲମ୍ବିଆର ଗବେଷକ ଦର୍ଶାଇଛନ୍ତି ଯେ ସଂକ୍ରମଣ ପରେ ସିଧାସଳଖ ଭାଇରାଲ ଟିସୁ କ୍ଷତିଗ୍ରସ୍ତ ହେବା ଯୋଗୁଁ ଶରୀରର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗ ପ୍ରଭାବିତ ହୋଇଥାଏ। ତେବେ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧକ ବ୍ୟବସ୍ଥାକୁ ବି ସକ୍ରିୟ କରି ଦେଉଥିବା ସେମାନେ ଦର୍ଶାଇଛନ୍ତି। କରୋନା ସଂକ୍ରମଣରେ ଶରୀରରେ ସାଇଟୋକାଇନ ନାମକ ଏକ ପ୍ରୋଟିନ ନିର୍ଗତ ହୋଇଥାଏ। କିନ୍ତୁ ଏହା ଶରୀର ପାଇଁ ବିଶେଷ ଉପଯୋଗୀ ହୋଇ ନଥାଏ। ଏହାଦ୍ବାରା କୋଷ ଓ କିଛି ଅଙ୍ଗ କ୍ଷତିଗ୍ରସ୍ତ ହୋଇଥାଏ।
କଲମ୍ବିଆ ଟିମ୍ରେ ଥିବା ଡ. ମହେଶ ମାଧବନ କହିଛନ୍ତି, ଏହି ଭୂତାଣୁ ଅତ୍ୟନ୍ତ ଅସ୍ବାଭାବିକ। ଶରୀର ମଧ୍ୟରେ ଅନେକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରୁଛି। ଏହାକୁ ମୂଲ୍ୟାୟନ କରିବା ସହଜ ନୁହେଁ। ରକ୍ତଜମାଟ ସମସ୍ୟା ଯୋଗୁଁ କୋଷଗୁଡ଼ିକ ପ୍ରଭାବିତ ହେଉଛନ୍ତି। ନିମୋନିଆ ଯୋଗୁଁ ରକ୍ତରେ ଅମ୍ଳଜାନ ମାତ୍ରା ଅତି ମାତ୍ରାରେ ହ୍ରାସ ପାଉଛି, ଯାହା ରକ୍ତଜମାଟ ସମସ୍ୟାକୁ ବଢ଼ାଇ ଦେଉଛି। ଏହି ଜମାଟ ସମସ୍ୟା ପରବର୍ତ୍ତୀ ସମୟରେ ଷ୍ଟ୍ରୋକ ଓ ହାର୍ଟ ଆଟାକର କାରଣ ସାଜିଥାଏ। ଫୁସ୍ଫୁସ୍ ଓ ଗୋଡ଼କୁ ବି ଏହା କ୍ଷତିଗ୍ରସ୍ତ କରିପାରେ। କିଡ୍ନି ପ୍ରଭାବିତ ହେବା ଯୋଗୁଁ ସଂକ୍ରମିତ ରୋଗୀଙ୍କର ନିୟମିତ ଡାଏଲିସିସ୍ ଆବଶ୍ୟକ ପଡେ। ଆଗ୍ନାଶୟ ପ୍ରଭାବିତ ହେବା ଦ୍ବାରା ମଧୁମେହ ରୋଗ ବଢ଼ିଯାଏ। ଏହି ଭୂତାଣୁ ମସ୍ତିଷ୍କାଘାତର କାରଣ ସାଜିଥାଏ। ତେଣୁ କରୋନା ରୋଗୀଙ୍କର ପୂର୍ବାପର ସ୍ବାସ୍ଥ୍ୟ ଘଟଣାଗୁଡ଼ିକୁ ଭଲ ଭାବେ ଅବଲେଖନ କରି ସେହି ଅନୁସାରେ ଚିକିତ୍ସା କରାଇବା ଜରୁରୀ। ଗବେଷକମାନେ ଦର୍ଶାଇଛନ୍ତି ଯେ ସଂକ୍ରମଣ ଯୋଗୁଁ ପାକସ୍ଥଳି ଓ ଅନ୍ତନଳି ସଂକ୍ରାନ୍ତ ରୋଗ ସୃଷ୍ଟି ହେଉଛି ସତ, କିନ୍ତୁ ଏହା ଦ୍ବାରା ମୃତ୍ୟୁ ଘଟୁଥିବା ତଥ୍ୟ ଏଯାଏ ଆସିନାହିଁ। କରୋନା ସଂକ୍ରମଣ ଯୋଗୁଁ ଯଦି ଚର୍ମ ରୋଗ ଦେଖା ଦେଉଛି, ତାହା ପରବର୍ତ୍ତୀ ସମୟରେ ଅବଶ୍ୟ ଆପେ ଭଲ ହୋଇଯାଉଛି।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ଶନିବାର)
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ
The post ସ୍ୱାସ୍ଥ୍ୟ ସମ୍ବାଦ : ବହୁ ସମସ୍ୟା ସୃଷ୍ଟିକାରୀ ରୋଗ କରୋନା first appeared on Sambad.
from କରୋନା – Sambad https://ift.tt/3jNqSjE
0 Comments