ବାଲିଅନ୍ତା : ସ୍ଥାନୀୟ ବେଣ୍ଟପୁର ପଞ୍ଚାୟତ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମର ଜଣେ ଯୁବକ ଦ୍ବିତୀୟ ଥର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହାଇକୋର୍ଟରେ କାର୍ଯ୍ୟରତ ଜଣେ କିରାଣି ବୋଲି ଜଣାପଡ଼ିଛି। ସେ ଗତ ମାସରେ ପଜିଟିଭ୍‌ ଚିହ୍ନଟ ହୋଇ ଗୃହ ସଂଗରୋଧରେ ଥିଲେ। ପରେ ସୁସ୍ଥ ହୋଇଯାଇଥିଲେ। ତେବେ ପୁଣି ଥରେ ସେ ଥଣ୍ଡାଜ୍ବରରେ ପୀଡ଼ିତ ହୋଇଥିଲେ ଓ କାଶ ଲାଗି ରହିବାରୁ ଦ୍ବିତୀୟ ଥର କୋଭିଡ୍‌ ପରୀକ୍ଷା କରାଇଥିଲେ। ଏହି ପରୀକ୍ଷାରୁ ସେ ପୁଣି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଗତକାଲି ପରିବାର ଲୋକେ ତାଙ୍କୁ କଟକ ଖାନନଗରସ୍ଥିତ ଘରୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତି କରିଛନ୍ତି। ତାଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ବ୍ରାହ୍ଣଷଡ଼ଙ୍ଗୀ ଗାଁର ଉକ୍ତ ଯୁବକ ପୁଣି ଥରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇ ଦୁଇଟି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଧୀରେ ଧୀରେ କରୋନା ସଂକ୍ରମଣ କମୁଥିବାବେଳେ କିଛି କିଛି ଲୋକ ଦ୍ବିତୀୟ ଥର ଆକ୍ରାନ୍ତ ହେଉଥିବାରୁ ପୁଣି ଏହି ମହାମାରୀ ଲେଉଟୁଛି ବୋଲି ଲୋକେ ଭୟ କରିବା ଦେଖାଯାଉଛି। ତଥାପି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଅନେକ ସନ୍ଦିଗ୍ଧ କୋଭିଡ୍‌ ପରୀକ୍ଷା କରାଇବାକୁ ଡରୁଛନ୍ତି ଓ ଲୁଚାଉଛନ୍ତି ବୋଲି ସଂପୃକ୍ତ ପଦସ୍ଥ ଅଧିକାରିଣୀ ସୂଚନା ଦେଇଛନ୍ତି। ଶୀତ ଦିନ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ତେଣୁ ବାଲିଅନ୍ତା ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି କୁହାଯାଉଛି।

The post ଲେଉଟିଲାଣି କି କରୋନା? ପୁଣି ସଂକ୍ରମିତ ହେଲେ ହାଇକୋର୍ଟ କିରାଣି first appeared on Sambad.



from କରୋନା – Sambad https://ift.tt/3kBycjD