ନୂଆଦିଲ୍ଲୀ : କରୋନା ଭାଇରସ୍‌ ଟିକା କେବେ ଉପଲବ୍ଧ ହେବ ତାହା ସଠିକ୍‌ ଭାବେ କହିବା ଏକ ଜଟିଳ ବ୍ୟାପାର। କିନ୍ତୁ ଜାନୁଆରି ୨୦୨୧ ସୁଦ୍ଧା ଦେଶରେ ଏକ ଫଳପ୍ରଦ କୋଭିଡ୍‌ ଟିକା ଉପଲବ୍ଧ ହୋଇପାରେ। ଯଦି ସବୁ କିଛି ଯୋଜନା ଅନୁଯାୟୀ ଠିକ୍‌ ଠାକ୍‌ ଆଗକୁ ଚାଲେ ତେବେ କୋଭିଡ୍‌ ଟିକା ୨୦୨୧ ଜାନୁଆରି ସୁଦ୍ଧା ଆସିଯିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଗୁଲେରିଆ‌ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ, ପ୍ରାରମ୍ଭରେ କରୋନାର ଯେଉଁ ଡୋଜ୍‌ ଉପଲବ୍ଧ ହେବ ତାହା ଦେଶର ସମସ୍ତ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ନୁହେଁ। ତେବେ ଟିକା ପ୍ରସ୍ତୁତ ହୋଇଗଲେ ମଧ୍ୟ ଅନ୍ୟ ଏକ ବଡ଼ ଚ୍ୟାଲେଂଜ ରହିଛି। ଗୁଲେରିଆ କହିଛନ୍ତି, ଟିକା ପ୍ରସ୍ତୁତ ହେବାପରେ ଦ୍ବିତୀୟ ଚ୍ୟାଲେଂଜ ହେଉଛି ବ୍ୟାପକ ଭାବେ ଏହାର ଉତ୍ପାଦନ ଏବଂ ବଣ୍ଟନ। ତେବେ ଦେଶ‌ରେ କୋଭିଡ୍‌ ଟିକା ବଣ୍ଟନ ସଂକ୍ରାନ୍ତରେ ଏକ ମଡେଲ୍‌ ଅନୁକରଣ କରାଯିବ ବୋଲି ସେ କହିଛନ୍ତି। ଏହି ମଡେଲ୍‌ ଅନୁଯାୟୀ ଯେଉଁମାନେ ସବୁଠୁ ଅଧିକ ବିପଦରେ ଥିବେ ସେମାନଙ୍କୁ ପ୍ରଥମେ ଟିକା ମିଳିବ। ଦୁଇଟି ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଉଛି। ସ୍ବାସ୍ଥ୍ୟକର୍ମୀଙ୍କ ସହ କରୋନା ଯୋଦ୍ଧା ଏବଂ ଯେଉଁମାନଙ୍କଠାରେ ମୃତ୍ୟୁର ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ଗୁଲେରିଆ କହିଛନ୍ତି। ଯଦି ମଡେଲ୍‌କୁ ଅନୁକରଣ କରାନଯାଏ ତେବେ ଅଧିକ ମୃତ୍ୟୁ ହେବ ଏବଂ ମହାମାରୀ ଅଧିକ ବ୍ୟାପିବ ବୋଲି ଗୁଲେରିଆ ଚେତାଇ ଦେଇଛନ୍ତି। ତେବେ କୋଭିଡ୍‌ ସଂକ୍ରମଣ ବଢ଼ି ଚାଲିଥିବାରୁ ଗ‌ୁଲେରିଆ ସମସ୍ତଙ୍କୁ କୋଭିଡ୍‌ ପ୍ରୋଟକଲ୍‌ ମାନିବାପାଇଁ ପରାମର୍ଶ ଦେଇଛନ୍ତି।



from କରୋନା – Sambad https://ift.tt/36rwugz