
ଭୁବନେଶ୍ୱର : କରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଫାବିପିରାଭିର ବଟିକା ଓ ରେମଡେସିଭିର ଇଞ୍ଜେକସନ୍କୁ ବଜାରରେ ବିକ୍ରି ପାଇଁ ରାଜ୍ୟ ଭେଷଜ ନିୟନ୍ତ୍ରକ ଆଜି ଅନୁମତି ଦେଇଛନ୍ତି। ତେବେ ଏଥିପାଇଁ ପ୍ରେସ୍କ୍ରିପସନ୍ ସହିତ ସଂପୃକ୍ତ ରୋଗୀଙ୍କ ସହମତି ନେବା ବାଧ୍ୟତାମୂଳକ ବୋଲି ସରକାର ଆଜି ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ଏହି ଦୁଇ ଔଷଧ କେବଳ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ହେଉଥିଲା। ହେଲେ ଏବେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଓ ଅଧିକାଂଶ ରୋଗୀ ଘରେ ପୃଥକବାସରେ ରହୁଥିବାରୁ କୋଭିଡ୍ ହସ୍ପିଟାଲ ବ୍ୟତୀତ ଅନ୍ୟତ୍ର ବିକ୍ରି ପାଇଁ ଅନୁମତି ଦିଆଯାଉଥିବା ଜଣାପଡ଼ିଛି। ଏ ନେଇ ଆଜି ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଏହି ନିର୍ଦେଶାନାମାରେ କୁହାଯାଇଛି ଯେ ଫାବିପିରାଭିର ବଟିକାକୁ ଦେବା ସମୟରେ ସଂପୃକ୍ତ ଔଷଧ ଦୋକାନୀ ପ୍ରେସ୍କ୍ରିପସନ୍ର ଏକ ନକଲ ସହିତ ରୋଗୀଙ୍କ କିମ୍ବା ରୋଗୀଙ୍କ ପାଇଁ ଔଷଧ କିଣୁଥିବା ବ୍ୟକ୍ତିଙ୍କ ସହମତି ନେବା ଜରୁରୀ। ଏହା ସହ ସଂପୃକ୍ତ ରୋଗୀଙ୍କ ଯୋଗାଯୋଗ ଠିକଣା ରଖିବା ମଧ୍ୟ ବାଧ୍ୟତାମୂଳକ।
ରେମଡେସିଭିର କେବଳ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଏ ଦୃଷ୍ଟିରୁ ଇଞ୍ଜେକସନ୍କୁ କେବଳ ହସ୍ପିଟାଲରେ ବ୍ୟବହାର କରାଯାଇ ପାରିବ। କୌଣସି ବି ପରିସ୍ଥିତିରେ ଏହି ଇଞ୍ଜେକସନ୍କୁ ରୋଗୀ କିମ୍ବା ତାଙ୍କ ପ୍ରତିନିଧିକୁ ସିଧାସଳଖ ଦିଆଯିବ ନାହିଁ। ତେବେ ଏହି ଦୁଇ ଔଷଧ ହସ୍ପିଟାଲରେ ଥିବା ନିଜସ୍ବ ଔଷଧ ଦୋକାନରେ ଉପଲବ୍ଧ ହେବ। ମାତ୍ର ଯେଉଁ ହସ୍ପିଟାଲର ନିଜସ୍ବ ଔଷଧ ଦୋକାନ ନାହିଁ, ଏଥିପାଇଁ ସ୍ଥାନୀୟ ଡ୍ରଗ୍ସ ଇନ୍ସପେକ୍ଟର ଔଷଧ ଦୋକାନ ଚିହ୍ନଟ କରିବା ପାଇଁ କୁହାଯାଇଛି। ଏହାସହ ପ୍ରତି ସପ୍ତାହରେ ଏହି ଦୁଇ ଔଷଧ କେତେ ପରିମାଣର ବିକ୍ରି ହୋଇଛି ତାହାର ତାଲିକା ଭେଷଜ ନିୟନ୍ତ୍ରକଙ୍କୁ ପ୍ରଦାନ କରିବା ଲାଗି ନିର୍ଦେଶନାମାରେ କୁହାଯାଇଛି। କେଉଁ ନିର୍ଦ୍ଦିଷ୍ଟ ଔଷଧ ଦୋକାନରେ ଏହି ଦୁଇ ଔଷଧ ମିଳବ ତାହାର ତାଲିକା ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। ତେଣୁ ଏହାର ତାଲିକା ଆସିବା ପରେ ହିଁ କେଉଁ କେଉଁ ଦୋକାନରେ ଔଷଧ ମିଳିବ ତାହା ସ୍ପଷ୍ଟ ହୋଇପାରିବ।
from କରୋନା – Sambad https://ift.tt/2Rp9GVK
0 Comments