ଭୁବନେଶ୍ୱର : ବିଏମ୍‌ସି ଓ ଆର୍‌ଏମ୍‌ଆର୍‌ସି ପକ୍ଷରୁ ରାଜଧାନୀରେ ଅଗଷ୍ଟ ୨୮ ଓ ୨୯ ଦୁଇଦିନ ଧରି ହୋଇଥିବା ସେରୋଲୋଜିକାଲ୍‌ ସର୍ଭେ ରିପୋର୍ଟ ଆସିଛି। ଆର୍‌ଏମ୍‌ଆର୍‌ସି କର୍ତ୍ତୃପକ୍ଷ ଆଜି ବିଏମ୍‌ସିକୁ ଏହି ରିପୋର୍ଟ ଦେଇଛନ୍ତି। ଏଥିରୁ ଜଣାପଡ଼ିଛି ଯେ ରାଜଧାନୀରେ ସଂକ୍ରମଣ ହାର ବହୁତ ଅଧିକ ନାହିଁ। ଏବେ ବି ଭୁବନେଶ୍ବରରେ କରୋନା ସଂକ୍ରମଣ ହାର ଅନ୍ୟ ସହରଗୁଡ଼ିକ ତୁଳନାରେ ବହୁତ କମ୍‌ ଅଛି। ଖୁବ୍‌ ଶୀଘ୍ର ଏ ସଂପର୍କିତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୮ ଓ ୨୯ ଦୁଇ ଦିନ ଧରି ବିଏମ୍‌ସିର ୨୫ଟି ୱାର୍ଡରୁ ୧୩୨୦ଟି ନମୁନା ସଂଗ୍ରହ ହୋଇଥିଲା। ଏଥିରେ ପ୍ରଥମ ଦିନରେ ବିଭିନ୍ନ ଅଞ୍ଚଳର ସର୍ବସାଧାରଣଙ୍କ ୬୩୫ଟି ନମୁନା ସଂଗ୍ରହ ହୋଇଥିଲା। ଏଥିରେ ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତାହା ପରୀକ୍ଷା କରାଯାଇଥିଲା। ଦ୍ବିତୀୟ ଦିନ ଅତି ସମ୍ବେଦନଶୀଳ ଯଥା ପୁଲିସ, ବିଏମ୍‌ସି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ ଆଦି ୬୮୫ ଜଣଙ୍କର ନମୁନା ସଂଗ୍ରହ ହୋଇଥିଲା। ଏହାର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଆସିଛି। ଗୋଷ୍ଠୀସ୍ତରରେ ସଂକ୍ରମଣ ହୋଇଛି କି ନାହିଁ, ତା’ର ରିପୋର୍ଟ ଆର୍‌ଏମ୍‌ଆର୍‌ସି ଦେଇଛି। କିନ୍ତୁ ଅତି ସମ୍ବେଦନଶୀଳ ଲୋକଙ୍କ ରିପୋର୍ଟ ଆସିନି। ତେଣୁ ବିଏମ୍‌ସି ଉଭୟ ରିପୋର୍ଟକୁ ମିଶାଇ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିବ ବୋଲି ଜଣାପଡ଼ିଛି।



from କରୋନା – Sambad https://ift.tt/3h4lo2Q