
ବାଲିଅନ୍ତା : ଆଜି ଦିନକରେ ସ୍ଥାନୀୟ ଅଞ୍ଚଳରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବାଳକାଟି ନିକଟସ୍ଥ ପଞ୍ଚାୟତ ରୋଡ୍ କୋଭିଡ୍ ହସ୍ପିଟାଲରେ ବାହାର ଅଞ୍ଚଳର ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨୯ବର୍ଷୀୟ ଯୁବକଙ୍କ ଘର ଭଦ୍ରକ ହୋଇଥିବା ବେଳେ ଅନ୍ୟ ମୃତକଦ୍ବୟଙ୍କ ଘର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଗତ ରାତିରୁ ସକାଳ ୭ଟା ମଧ୍ୟରେ ୩ଜଣ ଯାକଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଆଜି ପୂର୍ବାହ୍ନରେ ବିଏମ୍ସି ସ୍ବର୍ଗରଥ ପହଞ୍ଚି ସେମାନଙ୍କୁ ସତ୍ୟନଗର ଶ୍ମଶାନରେ ସତ୍କାର କରାଇଛି। ସେହିପରି ଅନ୍ୟ ମୃତକଜଣକ ହେଲେ, ବାଲିଅନ୍ତା ବ୍ଲକ ଅଧୀନ କାକରୁଦ୍ରପୁର ପଞ୍ଚାୟତ ଅଞ୍ଚଳର ଜଣେ ୫୫ବର୍ଷୀୟ ପୁରୁଷ ଆକ୍ରାନ୍ତ। ସପ୍ତାହେ ହେବ ସେ ଅସୁସ୍ଥ ଥିଲେ। ଥଣ୍ଡା ଜ୍ବର ଲାଗି ରହିବା ସହ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ତେଣୁ ଗତକାଲି ତାଙ୍କୁ ଭୁବନେଶ୍ବରସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ରାତି ପ୍ରାୟ ୭ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆସନ୍ତାକାଲି ହସ୍ପିଟାଲ ପକ୍ଷରୁ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯିବା ପରେ ସତ୍ୟନଗର ଶ୍ମଶାନରେ ଶବଦାହ କରାଯିବ ବୋଲି ଜଣେ ଜନ ପ୍ରତିନିଧି କହିଛନ୍ତି। କାକରୁଦ୍ରପୁର ପଞ୍ଚାୟତ କରୋନା ମୃତ୍ୟୁକୁ ମିଶାଇ ବାଲିଅନ୍ତା ଅଞ୍ଚଳରେ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଅନ୍ଲାଇନ୍ରେ ଆକ୍ରାନ୍ତଙ୍କ କଥା ବୁଝିଲେ ମୁଖ୍ୟ ଚିକିତ୍ସାଧାରୀ
ବାଲିଅନ୍ତା : କରୋନା ଚିକିତ୍ସା ସେବାକୁ ଅଧିକ ସଫଳ କରିବା ପାଇଁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚିକିତ୍ସା ସେବା ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଓ ଉନ୍ନତି କରାଯାଇଛି। ଆଜି ନିଜେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ତନ୍ମୟ ତ୍ରିପାଠୀ ଆର୍ଆର୍ଟି ଟିମ୍ ତତ୍ତ୍ବାବଧାନରେ ଅନ୍ଲାଇନ୍ରେ କରୋନା ଆକ୍ରାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ମୋବାଇଲ୍ ଫୋନ୍ରେ ଭିଡିଓ କଲ୍ ମାଧ୍ୟମରେ ଗୃହ ସଂଗରୋଧରେ ଥିବା ପଜିଟିଭ୍ଙ୍କ ସ୍ବାସ୍ଥ୍ୟ ଅବସ୍ଥା କଥା ପଚାରି ବୁଝିଥିଲେ। ସେମାନଙ୍କ ନିକଟରେ ଔଷଧ ନିୟମିତ ଭାବେ ପହଞ୍ଚୁଛି କି ନାହିଁ, ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀମାନେ ଉପଯୁକ୍ତ ସେବା ପ୍ରଦାନ କରୁଛନ୍ତି କି ନାହିଁ ଇତ୍ୟାଦି ବାବଦରେ ପଚାରି ବୁଝିଥିଲେ।
ଡାକ୍ତର ଶ୍ରୀ ତ୍ରିପାଠୀଙ୍କ ସୂଚନା ମୁତାବକ, ସେ ଆଜି ଭିଡିଓ କଲ୍ ମାଧ୍ୟମରେ ଯଶୁଆପୁର, ନାଗପୁର, ରାୟଗୁରୁ ବାସୁଦେଇପୁର ଏବଂ ଗଡ଼ଶ୍ରୀରାମପୁର ଅଞ୍ଚଳର ୮ ଜଣ ରୋଗୀଙ୍କ ସହ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଔଷଧ ସେବନ ବାବଦରେ ପଚାରିଥିଲେ ଓ ପରାମର୍ଶ ଦେଇଥିଲେ। ଏଣିକି ଆକ୍ରାନ୍ତମାନେ ସିଧାସଳଖ ତାଙ୍କ ମୋବାଇଲ ନମ୍ବରକୁ ଭିଡିଓ କଲ୍ କରି ପରାମର୍ଶ ନେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।
from କରୋନା – Sambad https://ift.tt/33565CV
0 Comments