
କଟକ : ସେପ୍ଟେମ୍ବର ୨୧ ସୁଦ୍ଧା ଏସ୍ସିବି ମେଡିକାଲ୍ରେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଥିଲା। ରୋଗୀଙ୍କ ପାଇଁ କଟକ ଭୁବନେଶ୍ବରରେ ବେଡ୍ ଅଭାବ ସମସ୍ୟା କିଛି ମାତ୍ରାରେ ଦୂର ହୋଇ ପାରିବ ବୋଲି ଆଶା ସଂଚାର ହୋଇଥିଲା। କିନ୍ତୁ ସୂଚନା ଅନୁଯାୟୀ, ଏଯାଏ ଭିତ୍ତିଭୂମି କାର୍ଯ୍ୟ ଶେଷ ହୋଇ ପାରୁ ନଥିବାରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଆହୁରି କିଛି ଦିନ ସମୟ ଲାଗିବ। ଏ ପର୍ଯ୍ୟନ୍ତ ୱାର୍ଡ ଭିତର ମରାମତି ଓ ନବୀକରଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ଫଳରେ ଏସସିବି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ୍ କେବେ କାର୍ଯ୍ୟକ୍ଷମ ହେବ, ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି।
ଏସସିବିର ନିଉ ମେଡିସିନ୍ ବ୍ଲକ୍ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କୋଭିଡ୍ ହସ୍ପିଟାଲ ଖୋଲାଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ପ୍ରସ୍ତୁତ କରିଥିଲା। ଉଚ୍ଚସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ନିଉ ମେଡିସିନ୍ ବ୍ଲକ୍ରେ ୧୪ଆଇସିୟୁ ବେଡ୍ ସହ ୧୮୬ ସାଧାରଣ ବେଡ୍ ଉପଲବ୍ଧ ହେବ। ପୂର୍ବରୁ ଥିବା ୧୪ ଆଇସିୟୁ ବେଡ୍ ସହ ୨୫ ନୂଆ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯିବ। ମୋଟ ୩୯ ଆଇସିୟୁ ବେଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ। ଏଠାକାର ରୋଗୀମାନଙ୍କୁ ଟ୍ରମା ୟୁନିଟ୍, ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର (ଆର୍ଏସ୍ଆଇସି) ଓ ପୁରୁଣା ମେଡିସିନ୍ ବ୍ଲକ୍କୁ ସ୍ଥାନାନ୍ତର କରାଯିବ। ଟ୍ରମା ୟୁନିଟ୍ର ଦ୍ବିତୀୟ ମହଲା (୨୦ ବେଡ୍) ଓ ତୃତୀୟ ମହଲା (୫୦ ବେଡ୍)କୁ ମେଡିସିନ୍ ୱାର୍ଡ ଭାବେ ବ୍ୟବହାର କରାଯିବ। ପୁରୁଣା ମେଡିସିନ୍ ବ୍ଲକ୍ରେ ଥିବା ୨୫ ବେଡ୍ ଓ ଆର୍ଏସ୍ଆଇସିର ୭୦ ବେଡ୍କୁ ମେଡିସିନ୍ ୱାର୍ଡ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେବ। ଟ୍ରମା ୟୁନିଟ୍ର ରୋଗୀମାନଙ୍କୁ ସଂପୃକ୍ତ ରୋଗ ବିଭାଗ ୱାର୍ଡକୁ ସ୍ଥାନାନ୍ତର କରାଯିବ। ଅସହାୟ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର ୱାର୍ଡର ରୋଗୀଙ୍କୁ ଟିଟାନସ୍ ୱାର୍ଡକୁ ସ୍ଥାନାନ୍ତର କରାଯିବ। ଟ୍ରମା ଆଇସିୟୁର ୧୪ ବେଡ୍କୁ ମେଡିସିନ୍ ଆଇସିୟୁ ଭାବେ ବ୍ୟବହାର କରାଯିବ। ସଂପୂର୍ଣ୍ଣ ବିଶୋଧନ କରାଯିବା ପରେ ଟ୍ରମା ଆଇସିୟୁର ରୋଗୀମାନଙ୍କୁ ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ। ସେହିପରି ଏସ୍ସିବି ମେଡିକାଲ୍ର େପାଷ୍ଟ ପାର୍ଟମ ବିଲ୍ଡିଂ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଥମ ମହଲାକୁ ପ୍ରସୂତିମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ୱାର୍ଡରେ ପରିଣତ କରାଯିବ। ୱାର୍ଡ ଭିତରେ ଲେବର ରୁମ୍, ଅସ୍ତ୍ରୋପଚାର ଗୃହ ସହ ୩୦ ସାଧାରଣ ବେଡ୍, ୧୦ ଲେବର ଟେବୁଲ, ୨ ଓଟି ଟେବୁଲ ବ୍ୟବସ୍ଥା ରହିବ। ଆବଶ୍ୟକ ସୁରକ୍ଷାକର୍ମୀ ଓ ୨୧ଜଣ ସଫେଇ କର୍ମଚାରୀ ଯୋଗାଇ ଦିଆଯିବ।
ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଯେଉଁ ବିଭାଗମାନଙ୍କୁ ନବୀକରଣ କାର୍ଯ୍ୟ ଦାୟିତ୍ବ ଅର୍ପଣ କରାଯାଇଛି, ସେମାନଙ୍କଠୁ ଏ ପର୍ଯ୍ୟନ୍ତ କାର୍ଯ୍ୟଶେଷ ରିପୋର୍ଟ ଆସିନାହିଁ। ମେଡିକାଲ୍ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ସବୁବେଳେ ପ୍ରସ୍ତୁତ ଥିଲେ ବି ଅନ୍ୟ ବିଭାଗମାନେ ସେମାନଙ୍କ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରି ପାରିନଥିବାରୁ ଏଭଳି ସମସ୍ୟା ହେଉଛି। କାମ କେବେ ଶେଷ ହେବ, ତାହା ସମସ୍ତେ ଏକାଠି ନ ବସିଲେ କହିେହବନି। ତେବେ ଏହା ଉପରେ ଖୁବ୍ଶୀଘ୍ର ଏକ ସମୀକ୍ଷା ବୈଠକ ବସିପାରେ ବୋଲି ଡାକ୍ତର ପଟ୍ଟନାୟକ ସୂଚନା ଦେଇଛନ୍ତି।
from କରୋନା – Sambad https://ift.tt/2Hk3tc7
0 Comments