
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବ। ଏହା ପୂର୍ବରୁ ଯେ କୌଣସି ମତେ ଦେଶବାସୀଙ୍କୁ ଏକ କୋଭିଡ୍ ଟିକା ଉପହାର ଦେବେ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୃଢ଼ୋକ୍ତି ପ୍ରକାଶ କରି ଆସୁଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ଶେଷ ସପ୍ତାହରେ ଆମେରିକା ୨ଟି ଟିକାର ଲୋକାର୍ପଣ କରିବ ବୋଲି ଆଶା ଉଜ୍ଜୀବିତ ହୋଇଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି। ତେବେ ଟିକା ସମ୍ପର୍କରେ ଯେଉଁ ବର୍ଣ୍ଣନା ଦିଆଯାଇଛି ତାହା ଆନ୍ତର୍ଜାତିକ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ଦ୍ବାରା ପୃଥକ୍ ଭାବେ ବିକଶିତ କୋଭିଡ୍ ଟିକା ବୋଲି ଅନୁମାନ କରାଯାଉଛି। ଏପରିକି ନଭେମ୍ବର ୧ ପୂର୍ବରୁ ଦେଶବାସୀଙ୍କ ମଧ୍ୟରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଗଣଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ଦେଶର ବିଭିନ୍ନ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(ସିଡିସି)ଗୁଡ଼ିକୁ ନିର୍ଦ୍ଦେଶ କରିଥିବା ଜଣାଯାଇଛି। ବିଶ୍ବରେ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚିଥିବା କୌଣସି ଗୋଟିଏ ବି ଟିକା ନଭେମ୍ବର ପୂର୍ବରୁ ସାର୍ବଜନୀନ ବ୍ୟବହାର ପାଇଁ ପ୍ରସ୍ତୁତ ହେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଆଦେଶକୁ ମାନି ସିଡିସିଗୁଡ଼ିକ ଗଣଟିକାକରଣ ପ୍ରସ୍ତୁତି ଆରମ୍ଭ ପାଇଁ ବାଧ୍ୟ ହୋଇଥିବା ବେଳେ ନୈଦାନିକ ପରୀକ୍ଷଣ ପୂର୍ବରୁ କୌଣସି ଟିକାର ଏପରି ସାର୍ବଜନୀନ ବ୍ୟବହାର ପାଇଁ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିବା ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି ଅନେକ ବୈଜ୍ଞାନିକ ସତର୍କ କରାଇ ଦେଇଛନ୍ତି।
from କରୋନା – Sambad https://ift.tt/3bpJzHs
0 Comments