ନୂଆଦିଲ୍ଲୀ: ଅକ୍ଟୋବର ୧୫ ତାରିଖ ପରେ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ସାମାଜିକ, ଶିକ୍ଷା ସମ୍ବନ୍ଧୀୟ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜନସମାବେଶରେ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ଅନ୍ଲକ୍ ୫.୦ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଏଥିପାଇଁ ଅନୁମତି ମିଳିଛି। କିନ୍ତୁ, ସେଥିଲାଗି କେତେକ ସର୍ତ୍ତାବଳୀ ରଖାଯାଇଥିବା ଜଣାପଡ଼ିଛି।
ଏହି ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଥିବା କଟକଣା ଅନୁସାରେ ବନ୍ଦ ବା ଆବଦ୍ଧ ପରିସର କିମ୍ବା ହଲ୍ର ମୋଟ୍ ଆସନ ସଂଖ୍ୟାର ୫୦ ପ୍ରତିଶତ ଜନସମାଗମ ନିମେନ୍ତେ ଅନୁମତି ମିଳିବ, କିନ୍ତୁ ସର୍ବାଧିକ ୨୦୦ ଲୋକ ଏଥିରେ ଏକତ୍ର ହୋଇପାରିବେ। ଏହି ଜନସମାଗମରେ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ରରୁରୀ। ଏଥିସହ ଯୋଗ ଦେଉଥିବା ସମସ୍ତଙ୍କର ଥର୍ମାଲ୍ ସ୍କାନିଙ୍ଗ୍ କରାଯିବା ସହ ହ୍ୟାଣ୍ଡ୍ୱାସ୍ କିଂବା ସାନିଟାଇଜର୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।
ଖୋଲା ସ୍ଥାନମାନଙ୍କରେ ପ୍ରାଙ୍ଗଣର ଆକାର/ ପରିସର ପ୍ରତି ଦୃଷ୍ଟି ଦିଆଯାଇ ସମାରୋହ ନିମନ୍ତେ ଅନୁମତି ମିଳିବ। କିନ୍ତୁ ଏଠାରେ ମଧ୍ୟ ଫେସ୍ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ଥର୍ମାଲ୍ ସ୍କାନିଙ୍ଗ୍ କରାଯିବା ଏବଂ ହ୍ୟାଣ୍ଡ୍ୱାସ୍ କିଂବା ସାନିଟାଇଜର୍ ବ୍ୟବହାର ବାଧ୍ୟତାମୂଳକ ରହିଛି।
ଏହି ସମାରୋହରେ ଯେମିତି କୋଭିଡ୍-୧୯ ସଂକ୍ରମଣ ନ ବ୍ୟାପେ ସେ ପ୍ରତି ସରକାର ଦୃଷ୍ଟି ଦେବେ। ସଂକ୍ରମଣର ନ ବ୍ୟାପିବାକୁ ସୁନିଶ୍ଚିତ କରିବା, ଜନସମାଗମ ନିୟନ୍ତ୍ରଣ କରିବା ଏବଂ ଆନୁସଙ୍ଗିକ କଟକଣା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସବିସ୍ତୃତ ‘ଏସ୍ଓପି’ ଜାରି କରିବେ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି।
from କରୋନା – Sambad https://ift.tt/30koRoh
0 Comments