ମଥୁରା(ଉତ୍ତରପ୍ରଦେଶ): ଦେଶରେ ସ୍ବାସ୍ଥ୍ୟସେବା ଅବହେଳାର ଏକ ଜ୍ବଳନ୍ତ ଉଦାହରଣ ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ବଳଦେଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋଭିଡ୍‌ ପରୀକ୍ଷଣ ପାଇଁ ଦିଆଯାଇଥିବା ଦୈନିକ ଧାର୍ଯ୍ୟଲକ୍ଷ୍ୟ ପୂରଣ ପାଇଁ ଏଠାରେ ଜଣେ ଡାକ୍ତର ନିଜର ନମୁନାକୁ ୧୫ ଥର ଯୋଡ଼ିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ସ୍ବାସ୍ଥ୍ୟକର୍ମୀ ଏଥିପାଇଁ ଡା. ରାଜକୁମାର ସାରସ୍ବତଙ୍କ ସ୍ବାବ୍‌ ନମୁନାକୁ ବାରମ୍ବାର ସଂଗ୍ରହ କରି ବିଭିନ୍ନ ନକଲି ନାମରେ ପରୀକ୍ଷା ପାଇଁ ପଠାଇଥିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଏକ ଭିଡିଓରେ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଡା. ସାରସ୍ବତ ତାଙ୍କ ନାସା ଓ ଗଳାରୁ ପ୍ରାୟ ୧୫ ଥର ସ୍ବାବ ନମୁନା ଦେଉଥିବା ଦେଖାଯାଇଛି। ଏପରିକି ଡାତ୍କରଙ୍କର ଆଉ ଅଧିକ ଥର ନମୁନା ନେବାକୁ ସ୍ବାସ୍ଥ୍ୟକର୍ମୀ ଜଣକ ବ୍ୟଗ୍ର ହେବାରୁ କାଳେ କିଛି ଅସୁବିଧା ହେବ, ସେଥିପାଇଁ ଆଉ ସେପରି ନକରିବାକୁ ଅନ୍ୟ ଜଣେ ସ୍ବାସ୍ଥ୍ୟକର୍ମୀ ପରାମର୍ଶ ଦେଉଥିବା ଉକ୍ତ ଭିଡିଓରୁ ଜଣାପଡ଼ିଛି। ତେବେ ସଂପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଦୈନିକ ୧୫୦୦ ନମୁନା ପରୀକ୍ଷଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଏପରି କରିବା ଲାଗି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବାଧ୍ୟ କରୁଥିବା ଅନ୍ୟ ଜଣେ ଡାକ୍ତର ଅଭିଯୋଗ ଆଣିଛନ୍ତି। ଏଥିରୁ ଦେଶର ବାସ୍ତବ କୋଭିଡ୍‌ ଚିତ୍ର କେତେ ଭରସାଯୋଗ୍ୟ ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀମାନେ କଟାକ୍ଷ କରିଛନ୍ତି।



from କରୋନା – Sambad https://ift.tt/2FUktFv