ନୂଆଦିଲ୍ଳୀ: କରୋନା ଭାଇରସ୍କୁ ନେଇ ପୂର୍ବରୁ ଅନେକ ଗବେଷଣା ହୋଇ ସାରିଥିଲେ ବି ନିକଟରେ ଭାରତୀୟ ବୈଜ୍ଞାନିକମାନଙ୍କ ଗବେଷଣାରୁ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ମିଳିଛି। ତେଲେଙ୍ଗାନାର ୨୦୦ ଜଣ କୋଭିଡ୍-୧୯ ରୋଗୀଙ୍କ ଉପରେ ପରୀକ୍ଷଣ କରି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଲକ୍ଷଣବିହୀନ କରୋନା ରୋଗୀଙ୍କର ‘ଭାଇରାଲ୍ ଲୋଡ୍’ ଅଧିକ।
ହାଇଦ୍ରାବାଦ୍ର ଡିଏନ୍ଏ ଫିଙ୍ଗର ପ୍ରିଣ୍ଟିଂ ଏବଂ ଡାଇଗ୍ନୋଷ୍ଟିକ୍ (ସିଡିଏଫଡି)ର ଗବେଷକମାନେ ପରାମର୍ଶ ଦେଇ କହନ୍ତି କି ଲକ୍ଷଣ ବିହୀନ ବ୍ୟକ୍ତିଙ୍କଠାରେ ଅଧିକ ମାତ୍ରାରେ ‘ଭୂତାଣୁ ଭାର’ ବା ଭାଇରାଲ ଲୋଡ୍ ଅଧିକ ରହିଛି ବୋଲି ବିଚାର କରିବା ଜରୁରୀ। କେବଳ ସେତିକି ନୁହେଁ, ଏମାନଙ୍କ ଭିତରେ ଉତ୍ତମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ରହିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ଏହାର ଫଳ ସ୍ବରୂପ ବ୍ୟକ୍ତି ଭିତରେ ସଂକ୍ରମଣ ରହିଥିଲେ ହେଁ ସେମାନେ ଲକ୍ଷଣ ଦ୍ବାରା ପ୍ରଭାବିତ ହୋଇ ନଥିଲେ।
ଗବେଷଣା ଫଳାଫଳ ଉପରେ ମତ ରଖି ନ୍ୟାସନାଳ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜିର ବରିଷ୍ଠ ଇମ୍ୟୁନୋଲୋଜିଷ୍ଟ ସତ୍ୟଜିତ୍ ରଥ କହନ୍ତି, ‘ ଲକ୍ଷଣବିହୀନ କରୋନା ରୋଗୀଙ୍କଠାରେ ଅଧିକ ଭାଇରାଲ୍ ଲୋଡ୍ ଦେଖି ମୁଁ ପ୍ରଥମେ ଚକିତ ହୋଇଗଲି।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏପ୍ରିଲ ମାସର ଦ୍ୱିତୀୟାର୍ଦ୍ଧରୁ ତେଲେଙ୍ଗାନାରେ ଅସ୍ୱାଭାବିକ ସଂଖ୍ୟକ ସଂକ୍ରମଣ ଦେଖାଯାଇଛି, ମଙ୍ଗଳବାର ଦିନ ୨,୭୩୪ ଜଣ ନୂଆ ସଂକ୍ରମିତ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧.୨୭ ଲକ୍ଷ ଛୁଇଁ ସାରିଲାଣି।
ଆଜି ଦେଶରେ ୬୯,୯୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୯,୯୨୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୯୯୬ରହିଛି। ଏହା ସହ ୨୪ ଘଣ୍ଟାରେ ୮୧୯ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
from କରୋନା – Sambad https://ift.tt/2YUAGku
0 Comments