
ବ୍ରହ୍ମପୁର: ଗଞ୍ଜାମରେ କରୋନା କଟକଣା କୋହଳ ହେବା ପରେ ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଯାଇଛି। ଏଥିଲାଗି ଆଜି ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ଜଣାଯାଇଛି। ତେବେ ଏହି ସମୟରେ ସମସ୍ତ ଦୋକାନୀ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ପଡ଼ିବ ବୋଲି ନିର୍ଦେଶ ଦିଆଯାଇଛି। ଆଜି ସକାଳୁ ବ୍ରହ୍ମପୁର ସହରର ଅନେକ ଦୋକାନ ବଜାର ଖୋଲିଥିବା ଜଣାଯାଇଛି। ତେବେ ଗଞ୍ଜାମ ସୀମାରେ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କାଲିଠାରୁ ସକାଳ ୫ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ କରି ଏହି ସୂଚନା ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜାରି ରହିବ। ଜିଲ୍ଲାପାଳ ଦୋକାନୀମାନଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ସାମାଜିକ ଦୂରତା ତଥା ପଞ୍ଚସୂତ୍ର ନିୟମ ପାଳନ କରନ୍ତୁ। ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ୨ ମିଟର ସାମାଜିକ ଦୂରତା ରକ୍ଷା କରନ୍ତୁ।
ଉଲ୍ଲେଖଯୋଗ୍ୟ ଗଞ୍ଜାମ ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଦିନକୁ ଦିନ ସୁଧୁରୁଥିବାରୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦୋକାନ-ବଜାର ଗୁଡ଼ିକ ଖୋଲିବା ନେଇ ଅନୁମତି ପ୍ରଦାନ କରିଛନ୍ତି। ଜିଲ୍ଲାରେ ଆଜି ୨୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୬ହଜାର ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ହଜାର ୪୪୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୭୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି।
from କରୋନା – Sambad https://ift.tt/2YnA06P
0 Comments