
ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ବର ଗ୍ରାମର କଞ୍ଚସାହିରୁ ଏକକାଳୀନ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏକାଥରକେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଗକୁ ଏଠାରେ ହେବାକୁ ଥିବା ବ୍ୟାପକ ସଂକ୍ରମଣ ଆଶଙ୍କାକୁ ନେଇ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ପ୍ରଥମ ସନ୍ଦିଗ୍ଧ ଯୁବକ ଏକ ଏକାଦଶାହ ଭୋଜିରେ ଯୋଗ ଦେଇଥିବାରୁ ଏହି ବଡ଼ ଧରଣର ସଂକ୍ରମଣ ହୋଇଥିବା ଲୋକେ ଆଲୋଚନା କରୁଛନ୍ତି। କିନ୍ତୁ ଗୋଟିଏ ସାହିରୁ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମଧ୍ୟ ବିଏମ୍ସି ପକ୍ଷରୁ ଉକ୍ତ ସାହିକୁ ସାନିଟାଇଜ୍ କରାଯାଇନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ସାହିର ଜଣେ ୩୩ ବର୍ଷୀୟ ଯୁବକ ଥଣ୍ଡା ଜ୍ୱରରେ ପୀଡ଼ିତ ହେବା ପରେ ପରିବାର ଲୋକେ ସନ୍ଦେହ କରି ତାଙ୍କର ସ୍ୱାବ୍ ପରୀକ୍ଷା କରାଇଥିଲେ। ପରେ ତାଙ୍କ ପଜିଟିଭ୍ ରିପୋର୍ଟ ଆସଥିଲା ଓ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନେଇ ଗତ ବୁଧବାର ବିଏମ୍ସି ପକ୍ଷରୁ କୋଭିଡ଼୍-୧୯ ପରୀକ୍ଷା କରାଯାଇଥିଲା। କପିଳେଶ୍ବର ହାଇସ୍କୁଲରେ ଶହେ ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧ଜଣ ପଜିଟିଭ୍ ବୋଲି ରିପୋର୍ଟ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ଗ୍ୟାରେଜ୍ କରିଥିବା ଏହି ପ୍ରଥମ ଆକ୍ରାନ୍ତଙ୍କ ସହ ବହୁ ଲୋକ ମିଶିଛନ୍ତି। ତାଙ୍କ ଗ୍ୟାରେଜ୍କୁ ଆସୁଥିବା ଲୋକ ଓ ସାହି ଲୋକଙ୍କ ସହ ସେ ଯୋଗ ଦେଇଥିବା ଏକାଦଶାହ ଭୋଜିରେ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଛନ୍ତି। ମାତ୍ର ଶହେ ଜଣଙ୍କର ସ୍ବାବ୍ ନମୁନା ପରୀକ୍ଷା କରାଯାଇଛି, ହେଲେ ଆହୁରି କିଛି ଲୋକ ରହିଯାଇଥିବା ସନ୍ଦେହ କରାଯାଉଛି। ତେଣୁ କଞ୍ଚସାହି ଭଳି ଏକ ଜନବହୁଳ ଅଞ୍ଚଳରେ ଆହୁରି ଅଧିକ କିଛି କରୋନା ପଜିଟିଭ୍ ଥିବା ସନ୍ଦେହ କରାଯାଉଛି। ମାତ୍ର ଉକ୍ତ ସାହିକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇନାହିଁ କି ସାନିଟାଇଜ୍ କରାଯାଇନାହିଁ।
from କରୋନା – Sambad https://ift.tt/31zyLlz
0 Comments