
ନୂଆଦିଲ୍ଲୀ : ବିଶ୍ୱରେ ସର୍ବାଧିକ କୋଭିଡ୍-୧୯ ସଂକ୍ରମିତ ଦେଶ ମଧ୍ୟରେ ଭାରତର ସ୍ଥାନ ତୃତୀୟରେ ରହିଛି ଏବଂ ଖୁବ୍ ଶୀଘ୍ର ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଯିବ। ତେବେ ଭିନ୍ନ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତରେ ଉନ୍ନତ ଆରୋଗ୍ୟ ହାର ହିଁ ଖୁବ୍ ଶୀଘ୍ର କୋଭିଡ୍ର ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସଂକେତ କରୁଛି। ଅପରପକ୍ଷେ, ଅନେକ ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିବା ସାଙ୍ଗକୁ କିଛି ଗ୍ରାମାଞ୍ଚଳ ଜିଲ୍ଲାମାନଙ୍କରେ ସଂକ୍ରମଣର ସିଂହଭାଗ ଦେଖାଯାଉଥିବାରୁ ଭାରତକୁ ଆହୁରି ଅନେକ ଦିନ ଯାଏ କରୋନାଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବାକୁ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।
ସୂଚନାନୁଯାୟୀ, ଗତ ୩୦ ତାରିଖରୁ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ହାରାହାରି ୫୮ ହଜାରରୁ ଅଧିକ ରହିଆସିଥିଲେ ହେଁ ତଥାପି ଶୀର୍ଷ ସ୍ତର ଛୁଇଁନାହିଁ। ବର୍ତ୍ତମାନ ଦେଶର କୋଭିଡ୍ ଆରୋଗ୍ୟ ହାର ୭୫ ପ୍ରତିଶତ ଛୁଇଁଲେ ହିଁ କୋଭିଡ୍-୧୯ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣରୁ ଜଣାଯାଇଛି। ତେବେ ସଂକ୍ରମଣର ଶୀର୍ଷ ଛୁଇଁଦେଲେ ଯେ ମହାମାରୀର ଅନ୍ତ ଘଟିଯିବ, ସେଭଳି କିଛି ମାନେ ନାହିଁ। ଯଦି ଆବଶ୍ୟକ ସତର୍କତା ଗ୍ରହଣ କରାନଯାଏ ତେବେ ନୂଆ ନୂଆ ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ମଧ୍ୟ ଦେଖିବାକୁ ମିଳିବ। ଏପରିକି ଏହି ପ୍ରକ୍ରିୟା ଧୀରେ ଧୀରେ ସଂପନ୍ନ ହୋଇ ପୁଣି ସଂକ୍ରମଣର ନୂତନ ଶୀର୍ଷ ଛୁଇଁବାର ଆଶଙ୍କା ମଧ୍ୟ ରହିଛି। ବର୍ତ୍ତମାନ ଦିଲ୍ଲୀ ଏବଂ ତାମିଲନାଡୁରେ କୋଭିଡ୍ ସଂକ୍ରମଣ ସର୍ବାଧିକ ସ୍ତରରେ ପହଞ୍ଚିଥିବା ଅନୁମାନ କରାଯାଉଥିବା ବେଳେ ମହାରାଷ୍ଟ୍ର, ତେଲେଙ୍ଗାନା, ବିହାର ଓ ପଶ୍ଚିମବଙ୍ଗରେ ଶୀର୍ଷ ପହଞ୍ଚିବାକୁ ଯଥେଷ୍ଟ ବାକି ରହିଛି। ଷ୍ଟେଟ୍ବ୍ୟାଙ୍କର ଆକଳନ ଅନୁଯାୟୀ, ଅତି କମ୍ରେ ୨୨ଟି ରାଜ୍ୟରେ ଏପରି କୋଭିଡ୍ ସଂକ୍ରମଣ ଶୀର୍ଷ ଛୁଇଁବାକୁ ବାକି ରହିଛି। ଅପରପକ୍ଷେ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣ ହେବାର ଅବଧି ଧୀରେ ଧୀରେ କମିଚାଲିବା ଚିନ୍ତାର ବିଷୟ ହୋଇଛି। ଦେଶରେ ପ୍ରଥମ ଲକ୍ଷେ ସଂକ୍ରମିତ ଚିହ୍ନଟ ହେବାକୁ ୬୫ ଦିନ ଲାଗିଥିବା ବେଳେ ପରବର୍ତ୍ତୀ ୫୯ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ହୋଇଯାଇଥିଲା। ସେହିପରି ବର୍ତ୍ତମାନ ହାରାହାରି ୨୨ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେଉଛି ଯାହା କି ଆମେରିକା ଓ ଆର୍ଜେଣ୍ଟିନାର ଅନୁରୂପ ଅବଧି ସହ ସମାନ। ସେହିପରି ଏସିଆ ମହାଦେଶରେ ଭାରତରେ ମୃତ୍ୟୁହାର ମଧ୍ୟ ସର୍ବାଧିକ ଯଦିଓ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ତୁଳନାରେ ଢେର କମ୍ ରହିଛି। ତେବେ ସବୁଠୁ ଚିନ୍ତାର ବିଷୟ ହେଲା, ଏବେ ଗ୍ରାମାଞ୍ଚଳରେ କୋଭିଡ୍ ଉପଦ୍ରବର ପ୍ରାବଲ୍ୟ ଦେଖାଦେଇଛି। ପ୍ରଥମେ ପ୍ରଥମେ ସହରାଞ୍ଚଳରେ ସଂକ୍ରମଣ ସୀମିତ ଥିବା ବେଳେ ଏବେ ଗ୍ରାମାଞ୍ଚଳକୁ ତାହା କଳ୍ପନାତୀତ ଭାବେ ମାଡ଼ି ଚାଲିଛି।
from କରୋନା – Sambad https://ift.tt/34jiCnz
0 Comments