ଭୁବନେଶ୍ୱର : ସାତ ଦିନରେ ରାଜ୍ୟରେ ସାଢ଼େ ୧୫ ହଜାର କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୧୫ତାରିଖରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ହଜାର ୫୦ ଥିବା ବେଳେ ୨୧ତାରିଖ ସୁଦ୍ଧା ତାହା ୭୫୫୩୭ରେ ପହଞ୍ଚିଯାଇଛି। ଗତ ୧୪ ତାରିଖଠାରୁ ରାଜ୍ୟରେ ପ୍ରତ୍ୟେକ ଦିନ ୨ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏହି ସମୟ‌ରେ ଦୈନିକ କୋଭିଡ୍‌ ନମୁନା ପରୀକ୍ଷା ୪୭ହଜାରରୁ ବୃଦ୍ଧି ପାଇ ୬୧ହଜାର‌ରେ ପହଞ୍ଚିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୬୧୩୭୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨ଲକ୍ଷ ୩୩ ହଜାର ୮୦୫ କୋଭିଡ୍‌ ନମୁନା ପରୀକ୍ଷା ହୋଇ ସାରିଲାଣି। ତେବେ ମାତ୍ରାଧିକ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ନମୁନା ପରୀକ୍ଷା କରାଯିବାକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି। ରାପିଡ୍‌ କିଟ୍‌ରେ ପଜିଟିଭ୍ ରେଟ୍‌ ସର୍ବାଧିକ ୫୦-୭୦ ପ୍ରତିଶତ ଥିବା ବେଳେ ଏଥିରେ ଅନେକ କରୋନା ସନ୍ଦିଗ୍ଧ ଖସିଯିବାର ଆଶଙ୍କା ରହିଛି। ତେଣୁ ଦୈନିକ ଅଧିକ ସଂଖ୍ୟାରେ ଆରଟି-ପିସିଆର ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅପରପକ୍ଷରେ ଚଳିତ ମାସରେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୪୦ହଜାର ୬୨୪ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ୫୩ ପ୍ରତିଶତରୁ ଅଧିକ। ଏପରିକି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଜୁଲାଇ ୮ତାରିଖରେ ରାଜ୍ୟରେ ପ୍ରତ୍ୟେକ ଦିନ ଚିହ୍ନଟ ରୋଗୀଙ୍କ ମଧ୍ୟରେ ୨୮ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ତାହା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇଥିବାରୁ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର)ରେ ଦ୍ରୁତ ହ୍ରାସ ଘଟିଛି। ଚଳିତମାସ ୬ତାରିଖରେ ରାଜ୍ୟରେ ଟିପିଆର ସର୍ବାଧିକ ୧୧ ପ୍ରତିଶତରୁ ଅଧିକ ଥିବା ବେଳେ ଗତ ୨୪ଘଣ୍ଟାରେ ଏହା ୪.୫କୁ ଖସି ଆସିଛି। ସେହିପରି କରୋନାର ଦୈନିକ ବୃଦ୍ଧି ବା ଗ୍ରୋଥ ରେଟ୍‌ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୧୫ତାରିଖରେ ରାଜ୍ୟରେ ବୃଦ୍ଧି ହାର ୫ ପ୍ରତିଶତ ରହିଥିବା ବେଳେ ଏବେ ତାହା ୩.୮୭କୁ ଖସି ଆସିଛି।



from କରୋନା – Sambad https://ift.tt/2FP3jZz