ଚନ୍ଦ୍ରଶେଖରପୁର : ସଡ଼କ ଦୁର୍ଘଟଣାରେ ଆହତ ଦୁଇ ଯୁବକ କରୋନା ପଜିଟିଭ୍‌ ବୋଲି ଚିହ୍ନଟ ହେବା ପରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇ କଲବଲ ହେଉଥିବା ଅଭିଯୋଗ ହୋଇଛି। କୋଭିଡ୍‌ ପରୀକ୍ଷା ବାହାନାରେ ସେମାନଙ୍କ ଚିକିତ୍ସାରେ ଅବହେଳା କରାଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ହେବାର ତିନି ଦିନ ପରେ ମଧ୍ୟ ‌ଆହତଙ୍କୁ ଚିକିତ୍ସା କରାଯାଇନାହିଁ ବୋଲି ସେମାନେ ଜଣାଇଛନ୍ତି।

ସୂଚନାନୁସାରେ, ଜୟଦେବବିହାର ନନ୍ଦନକାନନ ରାସ୍ତାରେ ବାଇକ୍‌ରେ ଯାଉଥିବା ଜଣେ ଯୁବକ ଏକ କୁକୁରକୁ ଧକ୍କା ଦେଇ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ସେହିଭଳି ମଞ୍ଚେଶ୍ବର ଷ୍ଟେସନ୍ ନିକଟରେ ଜଣେ ବ୍ୟକ୍ତି ରାଜମିସ୍ତ୍ରୀ ‌କାମ କରୁଥିବା ବେଳେ ତାଙ୍କ ଦୁଇ ହାତର କିଛି ଆଙ୍ଗୁଠି କଟିଯାଇଥିଲା। ଏହି ଦୁଇ ଆହତ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ବୋଲି ଦର୍ଶାଇ ପ୍ରଥମେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। କିନ୍ତୁ ପ୍ରାଥମିକ ଚିକିତ୍ସା କରାଯାଇନଥିଲା। ବିନା ଚିକିତ୍ସାରେ ୨୪ଘଣ୍ଟା ରଖିବା ପରେ ସେମାନଙ୍କ ପରିବାରକୁ କରୋନା ଆକ୍ରାନ୍ତ ବୋଲି ସୂଚନା ‌ଦିଆଗଲା। ସ୍ବାବ୍ ପରୀକ୍ଷାରୁ ସେମାନେ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ସେମିତି ବିନା ଚିକିତ୍ସାରେ ଦୁଇଜଣଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏମିତିକି ସେମାନଙ୍କ କ୍ଷତସ୍ଥାନକୁ ବ୍ୟାଣ୍ଡେଜ୍ କରାଯାଇନଥିଲା ବୋଲି ସେମାନେ ଜଣାଇଛନ୍ତି।



from କରୋନା – Sambad https://ift.tt/3ir9C3s