ଧଉଳି : ସରଦେଇପୁରସ୍ଥିତ ସ୍ବାବ୍‌ ପରୀକ୍ଷା କେନ୍ଦ୍ରରେ ସ୍ବାବ୍‌ ପରୀକ୍ଷା କରାଇଥିବା କମିସନରେଟ ପୁଲିସର ୬ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଏଏସ୍‌ଆଇ, ଦୁଇଜଣ ଏସ୍‌ଆଇ ଓ ଅନ୍ୟ ୩ଜଣ ପୁଲିସ କର୍ମଚାରୀ। ଆଜି ସ୍ବାବ୍ ପରୀକ୍ଷା ରିପୋର୍ଟରୁ ଉକ୍ତ ଥାନାର ଦୁଇଜଣ ଏସଆଇଙ୍କ ସମେତ ଜଣେ ଓଏସିଏଫ କର୍ମଚାରୀ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ରିପୋର୍ଟ ପଜିଟିଭ ଆସିବା ପରେ ସେମାନେ ଗୃହ ସଂଗରୋଧରେ ଥିବା ନେଇ ସୂଚନା ମିଳିଛି। ଆସନ୍ତାକାଲି ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଥାନା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପଜିଟିଭ୍‌ ଥିବା ଏହି ଥାନାର ଆଉ ଦୁଇଜଣ ପୁଲିସ କର୍ମଚାରୀ ଓ ଏଏସଆଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୫ ଜଣ ଥାନା ଷ୍ଟାଫ କରୋନା ପଜିଟିଭ ଜଣାପଡ଼ିବା ପରେ ସଂକ୍ରମଣ ଭୟରେ ଅଭିଯୋଗ ହାର କମି ଯାଇଥିବା ଜଣାପଡ଼ିଛି। ଆଜି ଡାକବଙ୍ଗଳାସ୍ଥିତ ସ୍ବାବ୍‌ ପରୀକ୍ଷା ଲ୍ୟାବ୍‌‌ରେ ୧୦୧ଜଣ ଲୋକଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ଜଣ ବାହାର ଅଞ୍ଚଳର ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଅଧିକାରୀ ଜଣାଇଛନ୍ତି।

ବାହାରେ ବୁଲୁଛନ୍ତି ସଂକ୍ରମିତ
ବାଲିଅନ୍ତା : ସ୍ଥାନୀୟ ସରକଣା ପଞ୍ଚାୟତର ଜଣେ କରୋନା ସଂକ୍ରମିତ ବ୍ୟକ୍ତି ବାହାରେ ବୁଲାବୁଲି କରୁଥିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ଦୁଇ ଦିନ ପୂର୍ବେ ସ୍ବାବ୍‌ ପରୀକ୍ଷା କରାଇଥିଲେ। ସେଥିରୁ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲେ। ଏ ସଂପର୍କରେ ବ୍ଲକ ପ୍ରାଶସନ, ସରପଞ୍ଚ ଏବଂ ‌ଡାକ୍ତରଖାନା କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ସୂଚନା ପାଇବା ପରେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ, ଜନପ୍ରତିନିଧି ଓ ସ୍ବାସ୍ଥ୍ୟକର୍ମୀ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ। ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ଗ୍ରାମବାସୀଙ୍କୁ ଅବଗତ କରାଯାଇନଥିଲା। ଫଳରେ ଆକ୍ରାନ୍ତ ବ୍ୟକ୍ତିଜଣକ କଟକଣା ନମାନି ଖୋଲାମେଲାରେ ବୁଲାବୁଲି କରୁଛନ୍ତି। ଆଜି ସକାଳେ କୌଣସି ସୂତ୍ରରୁ ଏ ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ଆଜି ଅପରାହ୍‌ଣରେ ଶିଶିଲୋ ସ୍କୁଲରେ ଆୟୋଜିତ ସ୍ବାବ୍‌ ସଂଗ୍ରହ କେନ୍ଦ୍ରରେ ପୁଣି ଥରେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଛି। ତେବେ ଅଧିକ ସ୍ପଷ୍ଟ ହେବା ପାଇଁ ପୁଣିଥରେ ତାଙ୍କ ସ୍ବାବ୍‌ ଟେଷ୍ଟ ହେବ ବୋଲି ଜଣାପଡ଼ିଛି।



from କରୋନା – Sambad https://ift.tt/2COF7Fz