
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ମହାମାରୀ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଛି। ପୂର୍ବ ତୁଳନାରେ ଏହା ଏବେ ୩ ଗୁଣ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଛି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦିନକୁ ଦିନ ହ୍ରାସ ପାଉଛି। ଏ ପର୍ଯ୍ୟନ୍ତ ଗଂଜାମରେ ୭୮ ପ୍ରତିଶତ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି। ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ପରବର୍ତ୍ତୀ ସପ୍ତାହ ବେଳକୁ ପଜିଟିଭ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, କରୋନା ମୁକାବିଲା ଲାଗି ଆମେ ଭିତ୍ତିଭୂମିକୁ ମଜବୁତ କରିଛୁ। ଜିଲ୍ଲାରେ ୩ଟି କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଥିରେ ୫୦୦ରୁ ଅଧିକ ଶଯ୍ୟା ଅଛି। ଅଗଷ୍ଟରେ ଆହୁରି ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ। ସେହିପରି ହସ୍ପିଟାଲରେ ୯୦ଟି ଆଇସିୟୁ ୟୁନିଟ ଅଛି। ୧୭୦୦ ଅକ୍ସିଜେନ ସିଲିଣ୍ଡର ଅଛି। ୭୨୫ ଅକ୍ସିଜେନ ସପୋର୍ଟ ଶଯ୍ୟା ଅଛି। ଜିଲ୍ଲାରେ ୨ଟି କୋଭିଡ କେୟାର ସେଣ୍ଟର ଅଛି। ତେଣୁ ସ୍ବାସ୍ଥ୍ୟ ଭିତ୍ତଭୂମି ନେଇ ଜିଲ୍ଲା ପୂରା ପ୍ରସ୍ତୁତ ଅଛି।
ଗ୍ରାମାଂଚଳରେ କୋଭିଡ କେୟାର ହୋମ୍ ବ୍ୟବସ୍ଥା କରାଯାଇଛି। ଏଥିରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଆମର ସରପଂଚମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ସହରାଂଚଳରେ କୋଭିଡ୍ କେୟାର ହୋମରେ ୮୩୮ ଶଯ୍ୟା ଅଛି ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ।

ଶ୍ରୀ କୁଲାଙ୍ଗେ କହିଛନ୍ତି, ଗଂଜାମବାସୀଙ୍କୁ ଅପିଲ କରୁଛି ଯେ, କୋଭିଡ ମୁକାବିଲା ଲାଗି ଆପଣମାନେ ଆଗକୁ ଆସନ୍ତୁ। ଜିଲ୍ଲାରେ ଶଯ୍ୟାର ଅଭାବ ନାହିଁ। ପ୍ରଶାସନ ତରଫରୁ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି। ଆମେ ସଂକ୍ରମଣକୁ ରୋକିପାରିଛୁ। ଆପଣଙ୍କ ଅଂଚଳରେ ପଜିଟିଭ ଲକ୍ଷଣ ଦେଖାଯାଉଥିଲେ, ଏ ବାବଦରେ ସୂଚନା ଦିଅନ୍ତୁ। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ଆମେ କୋଭିଡ ବନ୍ଧୁ ଭାବେ ରଖିଛୁ।
ଗଂଜାମରେ ୪୭୨ ଜଣ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କୁ ଏବେ ତାଲିମ ଦିଆଯାଉଛି। ରୋଗୀ ବୋହିବା ପାଇଁ ୧୩୨ ଆମ୍ବୁଲାନ୍ସ ରହିଛି। ଏତଦ ବ୍ୟତୀତ ୧୦୮ ଆମ୍ବୁଲାନ୍ସ ମଧ୍ୟ ସାହାଯ୍ୟ କରୁଛି। ଆମ ପାଇଁ ସବୁଠାରୁ ଗୁରୁତ୍ୱ କଥା ହେଲା ସାମାଜିକ ଦୂରତା ପାଳନ କରିବା। ବିନା ମାସ୍କରେ ବାହାରକୁ ଯିବା ନାହିଁ। ପରସ୍ପର ମଧ୍ୟରେ ୨ ମିଟର ବ୍ୟବଧାନ ରଖିବା। ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି, ୫ ସୂତ୍ରୀ ପାଳନ କରନ୍ତୁ।
ଜିଲ୍ଲାପାଳ କହିଛନ୍ତି, ଆମର ଟିମ ଘରକୁ ଯାଇ ସର୍ଭେ କରୁଛନ୍ତି। ଲୋକେ ଲକ୍ଷଣ ନଲୁଚାନ୍ତୁ। ଅବରୋଧ ଅଂଚଳରେ ସ୍ଥିତ ଅନୁଧ୍ୟାନ କରାଯାଉଛି। ଟେଷ୍ଟିଂ ବଢ଼ିଛି, ପଜିଟିଭ ସଂଖ୍ୟା କମୁଛି। କରୋନା ଯୋଦ୍ଧାମାନେ ଦିନରାତି କାମ କରୁଛନ୍ତି। ସେମାନଙ୍କୁ ଆମେ ସହଯୋଗ କରିବା ଦରକାର।
from କରୋନା – Sambad https://ift.tt/2PCRrvb
0 Comments