ରାଉରକେଲା: କୋଭିଡ ଯୋଦ୍ଧା ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଆଜି ବେଦବ୍ୟାସରେ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତେଷ୍ଟ୍ରିକ୍ରିୟା ପାଇଁ ରାଉରକେଲା କୋଭିଡ୍‌ ହସ୍ପିଟାଲରୁ ବେଦବ୍ୟାସ ସ୍ବର୍ଗଦ୍ବାରକୁ ଅଣାଯାଇଥିଲା ସ୍ୱର୍ଗଦ୍ୱାରରେ ତାଙ୍କର କୋଭିଡ ନିୟମାବଳୀ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏଡିଏମ ଅବୋଲି ସୁନୀଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ତଥା ଡାକ୍ତର ଗଣ ସ୍ୱର୍ଗଦ୍ୱାର ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମାନ୍ୟବର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିଗଣ ସେଠାରେ ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗାର୍ଡ ଅଫ ଅନର ପ୍ରଦାନ ବେଳେ କୋଭିଡ ଯୋଦ୍ଧା ଦିବଂଗତ ଡାକ୍ତର ମହାପାତ୍ରଙ୍କ ପତ୍ନୀ ମଞ୍ଜୁଶର୍ମା ମହାପାତ୍ର ଉପସ୍ଥିତ ଥିଲେ। ଜିଲ୍ଲାପାଳ, କମିଶନର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଶୋକାକୂଳ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ। । ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଗତକାଲି ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।



from କରୋନା – Sambad https://ift.tt/2ELVMKB